ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା ଆକାଶ ତଳେ କଟୁଛି ଜୀବନ

55

କନକ ବ୍ୟୁରୋ : ୪୨ ଓାର୍ଡ ବିଶିଷ୍ଠ ବ୍ରହ୍ମପୁର ମହାନଗର ନିଗମ । ନିଗମର ବିଭିନ୍ନ ସାହି ଓ ଗଳି ଠାରୁ ଆରମ୍ଭ କରି ସହର ସାରା ଲୋକଙ୍କୁ ବିକାଶ ମୁଳକ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଳମାଳ ହୋଡିଂ ଲଗାଯାଇଛି । ହେଲେ ଦୀପ ତଳ ଅନ୍ଧାର ଭଳି ହୋଡିଂ ତଳେ ବର୍ଷ ବର୍ଷ ଧରି ରହିଯାଇଛନ୍ତି କିଛି ବାସହୀନ ପରିବାର ।

ପାର୍ବତୀଙ୍କ ପୁରୁଷଶୂନ୍ୟ ପରିବାରରେ ରହୁଛନ୍ତି ୪ ମହିଳା । ଦୀର୍ଘ ୪୦ବର୍ଷ ହେଲା ଖାଜା ସାହିର ଏହି ଚା’ଖଣ୍ଡେ କୁଡିଆରେ କଟୁଛି ପାର୍ବତୀଙ୍କ ଜୀବନ । ସାଥିରେ ଅଛନ୍ତି ଦିବ୍ୟାଙ୍ଗ ଝିଅ ଓ ଦୁଇ ନାତୁଣୀ । ସ୍ଥାନୀୟ କର୍ପରେଟରଙ୍କ ଉଦ୍ୟମରେ ଘରଟିଏ ପାଇଥିବା କହିଛନ୍ତି ସେ । ହେଲେ ସେହି ଘରକୁ ସଜାଡିବା ପାଇଁ ଅର୍ଥ ଅଭାବରୁ ସେଠାକୁ ସ୍ଥାନାନ୍ତରିତ ହୋଇ ପାରୁନାହାନ୍ତି ।

ଦୀର୍ଘ ୧୨ବର୍ଷ ହେଲା ଆସ୍କା ରୋଡ୍ ସ୍ଥିତ ଧାନମେରା ସାହି ଛକ ଅଙ୍ଗନାବାଡି କେନ୍ଦ୍ରର ବାରଣ୍ଡାରେ ଆଉ ଏବେ ଅର୍ଦ୍ଦ ନିର୍ମିତ କଲ୍ୟାଣ ମଣ୍ଡପରେ ରହୁଛନ୍ତି । ଆଧାର କାର୍ଡ ଓ ଭୋଟର କାର୍ଡ ଅଛି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ଥିବାରୁ ଭୋଟ ଦେଇ ଆସୁଛନ୍ତି । ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ଉଦ୍ୟମରେ ରାସନ କାର୍ଡଟିଏ ମଧ୍ୟ ପାଇଛନ୍ତି । କିନ୍ତୁ ପରିବାର ସହ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ ଦୌଡି ଦୌଡି ନୟାନ୍ତ ତଥାପି ଆଜି ଯାଏଁ ପାଇନାହାନ୍ତି । ସେହିପରି ୩୭ନମ୍ବର ଓାର୍ଡ ପୂଜା ପଣ୍ଡା, ଗୁଡ୍ ସେଡ୍ ରୋଡ୍ର ମାୟା ଦାସଙ୍କ ଭଳି ବହୁ ପରିବାର ଘରଟିଏ ନପାଇ ଏଭଳି ଦୁର୍ଦଶାରେ ଜୀବନ ବିତାଉଛନ୍ତି ।

ଭୂମିହୀନ ବାସହୀନ ଓ ବସ୍ତି ବାସିନ୍ଦାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଯୋଜନାର ସଫଳ ରୂପାୟନ ନେଇ ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଂ ମରାଯାଉଛି । ଆଉ ବ୍ରହ୍ମପୁର ସହରରେ ସେହି ହୋଡିଂ ତଳେ ରହୁଥିବା ଭୂମୀହିନଙ୍କ ଉପରେ ପ୍ରଶାସନର ନଜର ପଡୁନଥିବା ଅଭିଯୋହ ହୋଇଛି । ଯଦି ମହାନଗରରେ ଏପରି ଅବସ୍ଥା ତେବେ ଗ୍ରାମଂଚଳ କଥା ନ କହିବା ଭଲ ।