ରାୟଗଡ଼ା ସଭାକୁ ଆସିଲେନି ରାହୁଲ ଗାନ୍ଧୀ: ଭିଡିଓ ବାର୍ତ୍ତା ଜରିଆରେ କଲେ ସମ୍ବୋଧନ

52

କନକ ବ୍ୟୁରୋ: ରାୟଗଡ଼ା ସଭାରୁ ଭିଡିଓ କଲରେ ରାହୁଲ ଗାନ୍ଧୀଙ୍କ ବାର୍ତା । କଂଗ୍ରେସର ୫ ଗ୍ୟାରେଂଟି କଥା ଦୋହରାଇଛନ୍ତି ରାହୁଲ । ତେବେ ରାୟଗଡ଼ା ଆସି ଜନସଭାକୁ ସମ୍ବୋଧିତ କରିବାକୁ ଥିବା ବେଳେ ରାଏବରେଲିରୁ ନାମାଙ୍କନ ପାଇଁ ଆସିପାରିନାହାନ୍ତି । କ୍ଷମତାକୁ ଆସିଲେ ଓଡ଼ିଶାବାସୀଙ୍କ ପାଇଁ କଂଗ୍ରେସ କଣ କରିବେ ତାର ପ୍ରତିଶ୍ରୁତି ଦେବା ସହ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ରାହୁଲ । ସେପଟେ ପ୍ରଥମ ଥର ପାଇଁ ମା’ଙ୍କ ଆସନ ରାଏବରେଲିରୁ ପ୍ରତିଦ୍ୱନ୍ଦିତା କରିବାକୁ ନାମାଙ୍କନ ଦାଖଲ କରିଛନ୍ତି ।

ରାଏବରେଲିରେ ନାମାଙ୍କନ ଦାଖଲ ପାଇଁ ରାୟଗଡା ସଭାକୁ ଆସିପାରିଲେ ନାହିଁ ରାହୁଲ ଗାନ୍ଧୀ । ଏଥିପାଇଁ ସେ ସଭାରେ ଉପସ୍ଥିତି ଲୋକଙ୍କୁ କ୍ଷମା ମାଗିବା ସହ ଶୀଘ୍ର ଦେଖା କରିବାକୁ ଆସିବେ ବୋଲି କହିଛନ୍ତି ।

ରାୟଗଡା ସଭାକୁ ଭିଡିଓ ବାର୍ତା ଜରିଆରେ ସମ୍ବୋଧନ କରି ଗଣତନ୍ତ୍ର, ସମ୍ବିଧାନ ବଂଚାଇବାର ଲଢେଇରେ ସହଯୋଗ କରିବାକୁ ଅପିଲ କରିଛନ୍ତି । ଏଥିସହ ବାର୍ତାରେ କଂଗ୍ରେସର ୫ ଗ୍ୟାରେଂଟି କଥା ଦୋହରାଇଛନ୍ତି ।

ଗରିବ ପରିବାରକୁ ଚିହ୍ନଟ କରାଯାଇ ମହିଳାଙ୍କ ଆକାଉଣ୍ଟକୁ ମାସକୁ ୮,୫୦୦ ଟଙ୍କା ଦିଆଯିବ
ପ୍ରଥମେ ଚାକିରୀ ପକ୍କା ଯୋଜନାରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି
ଗୋଟିଏ ବର୍ଷ ଯାଏଁ ଯୁବକଙ୍କ ଆକାଉଂଟକୁ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ
ମନରେଗା ମଜୁରୀ ୪ଶହ ଟଙ୍କା କରିବାକୁ ଗ୍ୟାରେଣ୍ଟି
ଚାଷୀଙ୍କ ରୁଣ ଛାଡ ପ୍ରତିଶ୍ରୁତି, ଫସଲର ଉଚିତ ମୂଲ୍ୟ ଦିଆଯିବା ଗ୍ୟାରେଣ୍ଟି
ମହିଳାଙ୍କୁ ସରକାରୀ ଓ ସାଧାରଣ ଉଦ୍ୟୋଗରେ ୫୦% ଚାକିରୀ ସଂରକ୍ଷଣ ଗ୍ୟାରେଣ୍ଟି

ରାୟଗଡାରେ ରାହୁଲଙ୍କ ସଭାସ୍ଥଳ ପାଲଟିଥିଲା ଲୋକାରଣ୍ୟ । ଟ୍ରାକ୍ଟର ଟ୍ରକ, ବସରେ ରାହୁଲଙ୍କୁ ଦେଖିବାକୁ ଆସିଥିଲେ ହଜାର ହଜାର ଲୋକ । ପୁଣିରାହୁଲ ଗାନ୍ଧୀ ଜିନ୍ଦାବାଦ ନାରାରେ ସଭାସ୍ଥଳ ଗୁଂଜରିତ ହୋଇଥିଲା । କିନ୍ତୁ ରାହୁଲ ଆସିନଥିବାରୁ ଲୋକ ନିରାଶ ହୋଇଛନ୍ତି । ରାଏବରେଲିରେ ନାମାଙ୍କନ ପାଇଁ ରାୟଗଡା ସଭାକୁ ରାହୁଲ ଆସିପାରିନଥିଲେ । ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଭଦ୍ରା, ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । ଆଉ ଏପଟେ ରାୟଗଡା ସଭାରେ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲ୍ଲୁଭଟ୍ଟି ବିକ୍ରମାର୍କା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟର ତୁଙ୍ଗ ନେତା ସଭା କାର୍ଯ୍ୟ ଆଗେଇ ନେଇଥିଲେ ।

ଏପଟେ ମେ ୮ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତୀ ରେଡ୍ଡୀଙ୍କୁ ଆଣି ଲୋକଙ୍କ ଭରସା ଜିଣିବାକୁ ଯୋଜନା କରିଛି କଂଗ୍ରେସ । ମେ ୧୩ରେ ୪ ଲୋକସଭା ଆସନରେ ଭୋଟ ପଡିବାକୁ ଥିବା କଂଗ୍ରେସ ଆଉ କେଉଁ ବଡ ନେତାଙ୍କୁ ମୈଦାନକୁ ଓହ୍ଲାଇ ଲୋକଙ୍କ ଆସ୍ଥା ଜିଣିବାକୁ ଉଦ୍ୟମ କରିବ, ତା ଉପରେ ସମସ୍ତଙ୍କ ନଜର ।