ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ନକରି ଅନୁଦାନ ଚଳୁ କରି ଦେଇଥିବା ଅଭିଯୋଗ

106

କନକ ବ୍ୟୁରୋ : କୋଠାଘର ବା ବିଲ୍ଡିଂ ଗାଏବ । କଥାଟା ଅଡୁଆ ଅଡୁଆ ଲାଗୁଥିଲେ ବି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏପରି ଦୁର୍ନୀତି ସମ୍ଭବ ହୋଇପାରୁଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି । ସରକାରୀ ରେକର୍ଡରେ ନୂତନ କୋଠା ପାଇଁ ୬ ଲକ୍ଷ ୨୨ ହଜାର ଟଙ୍କା ଅନୁଦାନ ଆସିଥିବା ସରକାରୀ ତଥ୍ୟରେ ଦର୍ଶା ଯାଇଛି । କିନ୍ତୁ ପ୍ରକୃତରେ ପ୍ରଶ୍ନ ପଂଚାୟତ କାର୍ଯ୍ୟାଳୟ ପରିସର କି ପଂଚାୟତର ଅନ୍ୟ କୌଣସି ସ୍ଥାନରେ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ଚିହ୍ନବର୍ଣ୍ଣ ନାହିଁ ।

କୋଇଲିପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର ନିର୍ମାଣ ଲାଗି ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରୁ ୬ ଲକ୍ଷ ୫୦ ହଜାର ଟଙ୍କାର ଫାଇଲ ଖୋଲା ଯାଇଛି । ସେଥିରୁ ୬ ଲକ୍ଷ ୨୨ ହଜାର ୮୧ ଟଙ୍କା ଦିଆଯାଇଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ୨୦୦୧ରେ ପଂଚାୟତ ବିଲ୍ଡିଂ ନିର୍ମାଣ ହୋଇଥିଲା । ଏଥିସହ ୨୦୦୩ରେ ଗୋଦାମ ଗୃହ, ୨୦୧୫ରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ୨୦୧୯ରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହ ଉପରେ ପଂଚାୟତ ସଭାଗୃହ ନିର୍ମାଣ ହୋଇଛି । ହେଲେ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି   । ଏନେଇ ରାଜନଗର ବିଡିଓ ତଦନ୍ତ କରି ସମ୍ପୃକ୍ତ ଫାଇଲକୁ ଜବତ କରିଛନ୍ତି । ତୁରନ୍ତ ଏସଂପର୍କରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସରକାରୀ କର୍ମଚାରୀଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା କ୍ୱାର୍ଟର କେଉଁଆଡେ ଉଭାନ ହୋଇଗଲା, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।