ଖେଳାଳିଙ୍କ ପାଇଁ ଆକାଶ ପାଲଟିଛି ଅଶୁଭ ! କିଛି ବିମାନ ଦୁର୍ଘଟଣାର କାହାଣୀ

38

ନିକଟରେ କଲମ୍ବିଆରେ ହୋଇଥିବା ବିମାନ ଦୁର୍ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କାରଣ ବିମାନରେ ଯାତ୍ରା କରୁଥିବା ୭୭ ଯାତ୍ରୀଙ୍କ ମଧ୍ୟରୁ ୭୧ଜଣ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିମାନରେ ବ୍ରାଜିଲ୍ ଚାପାକୋଏନ୍ସର ଫୁଟବଲ୍ ଖେଳାଳି ଯାତ୍ରା କରୁଥିଲେ । ଆଉ ମୃତକଙ୍କ ମଧ୍ୟରୁ ଅଧିକାଂଶ ଏହି ଖେଳାଳି ହିଁ ଥିଲେ । ତେବେ ଖେଳାଳିମାନଙ୍କ ବିମାନ ଦୁର୍ଘଟଣା ହେବା ଏହା ପ୍ରଥମ ନୁହେଁ । ନଜର ପକାନ୍ତୁ ଏମିତି କିଛି ଦୁଘର୍ଟଣା ଉପରେ ଯେଉଁଥିରେ ସମସ୍ତ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା ।

ଲୋକେମୋଟିବ୍ ୟାରୋସ୍ଲେବଲ୍ ହକି ଟିମ୍ : ୨୦୦୧
ତିନି ଥର ଚମ୍ପିୟନ୍ ହୋଇଥିବା ଋଷର ଲୋକେମୋଟିବ୍ ୟାରୋସ୍ଲେବଲ୍ ହକି ଟିମ୍ ସେପ୍ଟେମ୍ବର ୨୦୧୧ରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସିଜିନର ପ୍ରଥମ ମ୍ୟାଚ୍ ଖେଳିବା ପାଇଁ ଟିମ୍ ବେଲାରୁସ୍ ଯାଉଥିବା ସମୟରେ ଦୁର୍ଘଟଣା ହେବା ସହ ବିମାନରେ ନିଆଁ ଲାଗି ସଂପୂର୍ଣ୍ଣ ପୋଡି ଯାଇଥିଲା । ଯେଉଁଥିରେ ଟିମର ସମସ୍ତ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା । ୭ ଜଣ କେବିନ୍ କ୍ରୁଙ୍କ ସମତେ ୩୬ ଜଣ ଖେଳାଳି ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ଜାମ୍ବିଆ ନ୍ୟାସନାଲ୍ ଫୁଟବଲ୍ ଟିମ୍ : ୧୯୯୩
୧୯୯୩ ଅପ୍ରେଲ୍ ୨୮ରେ ଜାମ୍ବିଆ ନ୍ୟାସନାଲ୍ ଫୁଟବଲ୍ ଟିମ୍ ବିଶ୍ୱ କପର କ୍ୱାଲିଫାୟ ମ୍ୟାଚ ପାଇଁ ସେନେଗଲ୍ ଯାଉଥିବା ସମୟରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ୧୮ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା ।

ଏଲିଆଞ୍ଜା ଲୀନା : ୧୯୮୭
ପେରୁର ସବୁଠାରୁ ସଫଳ ଫୁଟବଲ୍ ଟିମ୍ ଥିଲା ଏଲିଆଞ୍ଜା । ଏହି ଟିମକୁ ନେଇ ଫେରୁଥିବା ସମୟରେ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆଉ ବିମାନରେ ଥିବା ସମସ୍ତ ଖେଳାଳୀଙ୍କ ସହ ୪୩ଜଣଙ୍କର ମୃତ୍ୟୁ ହୋଇଥିଲା । କେବଳ ପାଇଲଟ୍ ବଂଚି ଯାଇଥିଲେ ।

ଓଲଡ୍ କ୍ରିଷ୍ଟିୟାନ୍ ରଗବୀ ଟିମ୍ : ୧୯୭୨
୧୯୭୨ରେ ହୋଇଥିବା ଏହି ବିମାନ ଦୁର୍ଘଟଣା ଆଜି ବି ଲୋକଙ୍କ ମନରେ ଛାପ ଛାଡି ଯାଇଛି । ଅକ୍ଟୋବର ୧୩ରେ ମୋଂଟେଭିଡିଓ ରୁ ଚିଲିର ସେଂଟିୟାଗୋ ଯାଉଥିବା ସମୟରେ ଉରୁଗ୍ୱେର ଓଲଡ୍ କ୍ରିଷ୍ଟିୟାନ୍ ରଗବୀ ଟିମର ବିମାନ ବାଟରୁ ନିଖୋଜ ହୋଇଥିଲା । ପ୍ରାୟ ଦୁଇ ମାସ ପରେ ଦୁର୍ଘଟଣାରେ ବଂଚିଥିବା ୧୪ଜଣଙ୍କୁ ଚିଲିର ବାୟୁସେନା ଖୋଜି ବାହାର କରିଥିଲା । ଆଉ ଦୁଇ ଜଣ ଆଣ୍ଟର୍କଟିକାରେ ୧୦ ଦିନ ପାଦରେ ଚାଲି ଚାଲି କିଛି ବାଟ ପର୍ଯ୍ୟନ୍ତ ଆସିଥିଲେ ।

ତେବେ ଏହି ଦୁର୍ଘଟଣାକୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି ହୋଇଥିଲା । କେମିତି ବଂଚିବା ପାଇଁ ଏମାନେ ମଣିଷ ମାଂସ ଖାଇବାକୁ ବାଧ୍ୟ ହୋଇଥିଲେ ତାକୁ ଏହି ଫିଲ୍ମରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ।

ଆମେରିକା ଫିଗର ସ୍କେଟିଙ୍ଗ୍ ଟିମ୍ : ୧୯୬୧
ଏହି ଦୁର୍ଘଟଣାରେ ଆମେରିକା ଫିଗର ସ୍କେଟିଙ୍ଗ୍ ଟିମର ୧୮ ଜଣ ଖେଳାଳୀଙ୍କ ସହ ବିମାନରେ ଥିବା ସମସ୍ତ ୭୩ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ବିମାନଟି ବ୍ରସେଲ୍ସ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ୧୯୫୦ରୁ ଆମେରିକା ଟିମର ଏହି ଖେଳରେ ଦବାଦବା ଜାରି ରହିଥିଲା । କିନ୍ତୁ ଏହି ଦୁର୍ଘଟଣାରେ ଖେଳାଳୀ ଓ କୋଚଙ୍କୁ ହରାଇବା ପରେ ଟିମକୁ ଅନେକ ବର୍ଷ ଲାଗିଯାଇଥିଲା ଭଲ ପ୍ରଦର୍ଶନ କରିବା ପାଇଁ ।