ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା । ଅଧାରେ ଅଟକିଗଲା ଅଗର ମେସିନ୍ । ଖୁବଶୀଘ୍ର ଉପରପଟୁ ଖୋଳିବା ପ୍ରକ୍ରିୟା ହେବ ଆରମ୍ଭ

461

କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଅଛନ୍ତି । ଶ୍ରମିକଙ୍କ ପାଖକୁ ଠିକ ସମୟରେ ଖାଦ୍ୟପାନୀୟ ପଠାଯାଉଛି । ଶ୍ରମିକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଯେତେ ସମୟ ଲାଗୁ ସେମାନଙ୍କୁ ଯେପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ସେନେଇ ଶ୍ରମିକମାନେ କହିଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ତେବେ ଅଗର ମେସିନର ବ୍ଲେଡ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଇବାକୁ ନିଷ୍ପତି ନିଆଯାଇଛି । ସେପଟେ ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ହାଇଦ୍ରାବାଦରୁ ପ୍ଲାଜମା କଟର ଆସିବ । ସନ୍ଧ୍ୟା ସୁଦ୍ଧା ପ୍ଲାଜମା କଟର ମେସିନ ପହଞ୍ଚିବା ପରେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

ତେବେ ଉତ୍ତରକାଶୀ ଟନେଲ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗର ମେସିନ୍ କ୍ଷତିଗ୍ରସ୍ତ ହୋଇଛି । ଅଗର ମେସିନର ବ୍ଲେଡ଼ ଭାଙ୍ଗିଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉଦ୍ଧାର ସମୟରେ ପଥର ସହ ମାଡ଼ ହୋଇ ଅଗର ମେସିନର ବ୍ଲେଡ଼ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଫଳରେ ମେସିନର ଭାଙ୍ଗିଯାଇଥିବା ଅଂଶ ସବୁକୁ ଏକ ଜେସିବି ମେସିନ୍ ସହାୟତାରେ ଟନେଲ ବାହାରକୁ ଅଣାଯାଉଛି । ସେହିପରି ଏକାଧିକ ଥର ଅଗର ମେସିନରେ ବୈଷୟିକ ତ୍ରୁଟି ମଧ୍ୟ ଦେଖାଦେଇଛି ।