ଟିମ୍ ଇଣ୍ଡିଆକୁ ବାଏ ବାଏ କରିପାରନ୍ତି ଦ୍ରାବିଡ ! ଆଇପିଏଲର ୨ଟି ଟିମ୍ ରାହୁଲଙ୍କୁ ନେବାକୁ ବେଶ ଆଗ୍ରହୀ !

606

କନକ ବ୍ୟୁରୋ : ୨୦୨୩ ବିଶ୍ୱକପ ଶେଷ ହେବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଏହି ସିରିଜ ପାଇଁ ଦ୍ରାବିଡଙ୍କୁ ବିଶ୍ରାମ ଦିଆଯାଇ ଲକ୍ଷ୍ମଣଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରାଯାଇଛି । ତେବେ ଆଗକୁ ଲମ୍ବା ସମୟ ଧରି ଲକ୍ଷ୍ମଣଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିପାରେ । କାରଣ ଟିମ୍ ଇଣ୍ଡିଆର କୋଚ୍ ଭାବେ ଦ୍ରାବିଡ ନିଜର କାର୍ଯ୍ୟକାଳ ବୃଦ୍ଧି କରି ନପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଭାରତୀୟ ଦଳର କୋଚ୍ ପଦ ଦ୍ରାବିଡ ଛାଡିବା ନେଇ ଖବର ପ୍ରକାଶ ପାଇବା ପରେ ଆଇପିଏଲର ୨ଟି ଫ୍ରାଞ୍ଚାଇଜ ଦ୍ରାବିଡଙ୍କୁ ନିଜ ଟିମ୍ ସହ ଜଡିତ କରିବାକୁ ଆଲୋଚନା ଆରମ୍ଭ କରିଛନ୍ତି ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ଦ୍ରାବିଡଙ୍କୁ ନିଜର ମେଣ୍ଟର କରିବାକୁ ଆଲୋଚନା ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ବିସିସିଆଇ ଓ ଦ୍ରାବିଡଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିଯିବ । ଗତ ୨୦୨୧ ଟି-୨୦ ବିଶ୍ୱକପ ପରଠାରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି । ଭାରତୀୟ ଦଳର କୋଚ୍ ରହିଥିବାରୁ ପରିବାର ସହ ସମୟ ବିତାଇ ପାରୁନାହାନ୍ତି ଦ୍ରାବିଡ । ତେଣୁ ଭାରତୀୟ ଟିମର କୋଚ୍ ପଦ ଛାଡି ଆଇପିଏଲରେ କୌଣସି ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ତୁଲାଇବାକୁ ଦ୍ରାବିଡ ଇଚ୍ଛୁକ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କାରଣ ଆଇପିଏଲ ମାତ୍ର ୨ ମାସ ଧରି ଖେଳାଯାଇଥାଏ । ଯେହେତୁ ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପର ଜାଏଣ୍ଟସର ମେଣ୍ଟର ପଦ ଛାଡି ସାରିଛନ୍ତି ତେଣୁ ତାଙ୍କ ସ୍ଥାନରେ ଦ୍ରାବିଡଙ୍କୁ ଦଳରେ ନେବାକୁ ଲକ୍ଷ୍ନୌ ଅଧିକ ଉତ୍ସାହିତ ରହିଛି ।

ସେହିଭଳି ରାହୁଲଙ୍କୁ ଦଳରେ ସାମିଲ କରିବାକୁ ରାଜସ୍ଥାନ ରୟାଲ୍ସ ମଧ୍ୟ ଚାହୁଁଛି । କାରଣ ଭାରତୀୟ ଦଳର କୋଚ୍ ହେବା ପୂର୍ବରୁ ରାଜସ୍ଥାନ ପାଇଁ ଉଭୟ ଖେଳାଳୀ ଓ କୋଚ୍ ଦାୟିତ୍ୱ ତୁଲାଇ ସାରିଛନ୍ତି ଦ୍ରାବିଡ । ତେଣୁ ତାଙ୍କ ଅନୁଭବ ରାଜସ୍ଥାନ ପାଇଁ ସହାୟକ ହେବେ ବୋଲି ରାଜସ୍ଥାନର ପ୍ରଂଶସକ କହିଛନ୍ତି ।