ବାଲୁଗାଁ ଅଞ୍ଚଳରେ ପିକନିକ୍ ଗାଡି ଦୁର୍ଘଟଣା । ଶୋକପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1,472

କନକ ବ୍ୟୁରୋ: ବାଲୁଗାଁ ଅଞ୍ଚଳରେ ପିକନିକ୍ ଗାଡି ଦୁର୍ଘଟଣାଗ୍ରସ୍ତ । ୩ ଛାତ୍ରଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ, ୩ ମୃତ ଛାତ୍ରଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ତା ସହିତ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପିକ୍ନିକ୍ ଯାଉଥିବା ଏକ ବସକୁ ଧକ୍କା ଦେଇଥିଲା ଟ୍ରକ । ଖୋର୍ଦ୍ଧା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ । ତେବେ ଗୁରୁତରଙ୍କୁ ବାଲୁଗାଁରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ୨ଟା ୩୦ ମିନିଟରେ ପ୍ରିନ୍ସ ନାମକ ପିକନିକ୍ ମିନିବସ୍ ରାସ୍ତା କଡରେ ଠିଆ ହୋଇଥିଲା । ଟ୍ରକଟି ପଛପଟୁ ତାକୁ ଧକ୍କା ଦେଇଥିଲା, ଫଳରେ ବସଟି ରାସ୍ତା ତଳକୁ ଖସି ପଡିଥିଲା । ଏହି ଘଟଣାରେ ଆହତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।