ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନି କି ପାକିସ୍ତାନ ? ପିସିବି ଅଧ୍ୟକ୍ଷଙ୍କ ବୟାନ ବଢାଇଲା ଦ୍ୱନ୍ଦ୍ୱ ।

298

କନକ ବ୍ୟୁରୋ : ଏସିଆ କପକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏସିଆ କପ୍ ଆୟୋଜନ ହେବା ନିଶ୍ଚିତ ହୋଇଛି । ତେବେ ଏସିଆ କପ ପାଇଁ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଯିବା ପରେ ଏବେ ଦିନିକିଆ ବିଶ୍ୱକପ ପୂର୍ବରୁ କେଁ ପୂରାଇବା ଆରମ୍ଭ କରିଛି ପାକିସ୍ତାନ । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ । ଯାହା କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିବ ନିଶ୍ଚୟ ।

ଏସିଆ କପରେ ହାଇବ୍ରିଡ ମଡେଲକୁ ମଞ୍ଜୁରୀ ମିଳିବା ପରେ ଦିନିକିଆ ବିଶ୍ୱକପକୁ ନେଇ କୌଣସି ଦ୍ୱନ୍ଦ୍ୱ ଦେଖିବାକୁ ମିଳିବନି ବୋଲି କୁହାଯାଉଥିଲା । କିନ୍ତୁ ପିସିବି ଅଧ୍ୟକ୍ଷ ନଜମ ସେଟ୍ଟୀ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଟିମ୍ ଭାଗ ନେଇପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ନଜମ କହିଛନ୍ତି, ଟିମ୍ କେଉଁ ଦେଶକୁ ଖେଳିବାକୁ ଯିବ କି ନାହିଁ ତାହା ସରକାର ମଞ୍ଜୁରୀ ଅଧୀନ । ଆଉ ନଜମଙ୍କ ଏଭଳି ବୟାନ ଏବେ ଆଇସିସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନଜମ କହିଛନ୍ତି, ପାକିସ୍ତାନ ଓ ଭାରତ ମ୍ୟାଚକୁ ନେଇ ନା ପିସିବି ନିଷ୍ପତ୍ତି ନେଇପାରିବ ନା ବିସିସିଆଇ । କାରଣ ଉଭୟ ଦେଶ କେଉଁଠାରେ ଖେଳିବେ ତାହାର ନିଷ୍ପତ୍ତି ସରକାର ହିଁ ନେଇପାରିବେ ।

ସାମ୍ବାଦିକ ସମ୍ମିଳନୀରେ ନଜମ କହିଛନ୍ତି, ଏହି ମାମଲାରେ ସରକାର ଶେଷ ନିଷ୍ପତ୍ତି ନେବେ । କାରଣ ଯେତେବେଳେ ପାକିସ୍ତାନରେ ଭାରତ ଖେଳିବା ନେଇ କଥା ଉଠେ ସେତେବେଳେ ଭାରତ ସରକାର ସ୍ଥିର କରନ୍ତି ତାଙ୍କ ଟିମ୍ କେଉଁଠାରେ ଖେଳିବ । ତେଣୁ ଆମକୁ ପଚାରିବାର ଆବଶ୍ୟକତା ନାହିଁ ଯେ, ଆମ ଟିମ୍ ଅହମ୍ମଦାବାଦରେ ଖେଳିବ କି ନାହିଁ । ସମୟ ଆସିଲେ ଏହା ମଧ୍ୟ ସ୍ପଷ୍ଟ ହେବ ଯେ, ଆମ ଟିମ ଭାରତକୁ ଯିବ କି ନାହିଁ କିମ୍ବା ସରକାର ନିଷ୍ପତ୍ତି ନେବେ ଆମେ କେଉଁଠି ଖେଳିବୁ । ଏଭଳି କହି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଭାଗ ନେବ କି ନାହିଁ ତାହାକୁ ସସପେନ୍ସରେ ରଖିଛି ।