ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲର ଫେରାର ପ୍ଲାନ୍ : ୬ ଡକାୟତଙ୍କ ସହ ମିଶି ଜେଲରୁ ଖସିଯିବାକୁ କିଭଳି ରଚିଥିଲା ଷଡଯନ୍ତ୍ର, ପଢନ୍ତୁ ପୂରା କାହାଣୀ

321

କନକ ବ୍ୟୁରୋ: ମୃତ୍ୟୁର ସୌଦାଗର ଭାବେ ସାରା ଓଡ଼ିଶାରେ ଅପଖ୍ୟାତି ଅର୍ଜନ କରିଥିବା ପାଟଣାଗଡ଼ର ପୁଂଜିଲାଲ୍ ମେହେରର ଜେଲରୁ ଖସିଯିବାର ଉଦ୍ୟମ ପଣ୍ଡ ହୋଇଛି । ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇ ଜେଲରୁ ଖସିଯିବା ଯିବା ପାଇଁ ପୁଂଜିଲାଲ୍ କରିଥିଲା ମାଷ୍ଟର ପ୍ଲାନ୍ । ଦିନ-କାଳ ସ୍ଥିର ଥିଲା, ଖସିବାକୁ ହୋଇଥିଲା ପୁରା ଯୋଜନା । ହେଲେ ଜେଲରୁ ଫେରାର୍ ମାରିବାକୁ ଉଦ୍ୟମ କରୁଥିବା ବେଳେ ହିଁ ଧରାପଡ଼ିଥିଲା ସବୁ ଚାଲ୍ । ଜେଲରୁ ଚମ୍ପଟ୍ ମାରିବା ପାଇଁ କେମିତି ହୋଇଥିଲା ଯୋଜନା? କେଉଁ ପରିସ୍ଥିତିରେ ଅପରାଧୀଙ୍କୁ କାବୁ କରିଲେ ଜେଲ କର୍ମଚାରୀ? ପଢନ୍ତୁ ପୂରା କାହାଣୀ ..

ଜେଲରୁ ଖସି ପଳାଇବାକୁ ପାଟଣାଗଡ଼ ପାର୍ସଲ ବୋମାର ଖଳନାୟକ ପୁଂଜିଲାଲ ମେହେର କରିଥିଲା ମାଷ୍ଟର ପ୍ଲାନ୍ । ଏଥିପାଇଁ ଆଜି ଦିନକୁ ବାଛିଥିଲା ପୁଂଜିଲାଲ୍ । କାରଣ –

ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ ପାଟଣାଗଡ଼ ଥାନା କର୍ମଚାରୀ

୧୦ ଜେଲ ୱାର୍ଡରଙ୍କ ମଧ୍ୟରୁ ୨ ଜଣ ଥିଲେ ଛୁଟିରେ

ଜେଲ ଭିତରେ ଥିଲେ ୨ ୱାର୍ଡର

ମୁଖ୍ୟ ଫାଟକରେ ଜଗିଥିଲେ ଜଣେ

ଏସବୁକୁ ଦୃଷ୍ଟିରେ ରଖି ଧୁର୍ତ ପୁଂଜିଲାଲ କରିଥିଲା ଫେରାର ପ୍ଲାନ୍

ଶୁକ୍ରବାର ସକାଳ ପ୍ରାୟ ୮ଟା । ସ୍ଥାନ – ପାଟଣାଗଡ଼ ଉପକାରାଗାର । ହଠାତ୍ ଜେଲ ଗେଟ୍ ନିକଟରେ ପହଁଚି ଯାଇଥିଲା ୬ ଜଣ ଡକାୟତଙ୍କ ସହ ପୁଂଜିଲାଲ୍ । ମାତ୍ର ତିନି ଦିନ ତଳେ ଏହି ଡକାୟତ ଦଳ ବଲାଙ୍ଗୀରରୁ ଆସିଥିଲେ ପାଟଣାଗଡ଼ ଜେଲ । ସେମାନଙ୍କୁ ଗ୍ରୁପ ବନାଇ ଜେଲ ଗେଟ୍ ଜଗିଥିବା ୱାର୍ଡର ଉପରେ ଅତର୍କିତ ଆକ୍ରମଣ କରିଥିଲା ପୁଂଜିଲାଲ । ତେବେ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଅଟକାଇବା ପାଇଁ ୱାର୍ଡର କରିଥିଲେ ଉଦ୍ୟମ । ଡକାୟତ ଦଳ ତାଙ୍କୁ କାବୁ କରିବା ପୂର୍ବରୁ ସାଇରନ୍ ବଜାଇ ଦେଇଥିଲେ ୱାର୍ଡର । ଜେଲର ସାଇରନ୍ ଶୁଣି ସମଗ୍ର ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସାଙ୍ଗେ ସାଙ୍ଗେ ଅନ୍ୟ ୱାର୍ଡର ଓ ଜେଲର୍ ପହଁଚି ଯାଇଥିଲେ । ଆରମ୍ଭ ହୋଇ ଯାଇଥିଲା ଧସ୍ତାଧସ୍ତି । ପଣ୍ଡ ହୋଇଥିଲା ପୁଂଜିଲାଲର ଯୋଜନା ।

ପୋଲିସକୁ ଖବର ଦିଆଯାଇଥିଲା । ହେଲେ ଥାନାରେ କର୍ମଚାରୀ ନଥିଲେ । ୨ ଘଂଟା ଧରି ଚାଲିଥିଲା ଡକାୟତ ଦଳ ଓ ଜେଲ କର୍ମଚାରୀଙ୍କ ମଧ୍ୟରେ ଲଢେଇ । ଏହା ସତ୍ୱେ ଘଟଣାସ୍ଥଳରେ ପହଁଚି ପାରିନଥିଲା ପୋଲିସ । ପଂଜିଲାଲ ଏହି ଜେଲକୁ ଆସିବା ପରେ ଆଶାନ୍ତ ହୋଇ ଉଠିଛି ପାଟଣାଗଡ଼ ସବଜେଲ । ଗ୍ରୁପ ବନାଇ ବାରମ୍ବାର ଜେଲରେ ବିଶୃଙ୍ଖଳା ଘଟାଇବାକୁ ଉଦ୍ୟମ କରୁଛି ପାର୍ସଲ ବୋମାର ଏହି ଖଳନାୟକ । ଏ ନେଇ ଥାନା ଓ ମାଜିଷ୍ଟ୍ରେଟକୁ ଜଣାଇଛନ୍ତି ଜେଲ କର୍ମଚାରୀ । ଗତ ବର୍ଷ ଫ୍ରେବୁଆରୀ ୨୩ ତାରିଖ ଦିନ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଅଭିଯୁକ୍ତ ପୁଂଜିଲାଲ ମେହେର ଗିରଫ ହୋଇ ଅଛି ପାଟଣାଗଡ଼ ଜେଲରେ ।