ନବ ମିଶିଲେ ଧର୍ମେନ୍ଦ୍ର ଗର୍ଜିଲେ ! ଅସାଧୁ ମେଣ୍ଟ ବନାମ ଅପରାଧୀଙ୍କ ସହ ସମ୍ପର୍କ, ପୁଣି ମୁହାଁମୁହିଁ ଧର୍ମେନ୍ଦ୍ର-ପ୍ରତାପ ।

ଉଭୟ ଶାସକ ବିଜେଡି ଓ ନବ ଦାସଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଅସାଧୁ ଲୋକଙ୍କ ସହିତ ଅସାଧୁ ମେଣ୍ଟ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇ କହିଛନ୍ତି ଯେ,କାହାକୁ ଅସାଧୁ ମେଣ୍ଟ କହୁଛନ୍ତି କେନ୍ଦ୍ରମନ୍ତ୍ରୀ? କଟକ ସହରରେ ଅପରାଧୀଙ୍କ ସହ ବୈଠକ କରିଥିଲା କିଏ?

302

କନକ ବ୍ୟୁରୋ: ନବ ଦାସ ବିଜେଡିରେ ମିଶିବାପରେ ତେଜିଲା ରାଜନୀତି । ଦିଲ୍ଲୀରୁ ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଶାସକ ବିଜେଡି ଓ ନବ ଦାସଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଅସାଧୁ ଲୋକଙ୍କ ସହିତ ଅସାଧୁ ମେଣ୍ଟ ହୋଇଛି । କେବଳ ଅସାଧୁ କାର୍ଯ୍ୟ ପାଇଁ ମେଣ୍ଟ ହୋଇଛି । ଏହି ମେଣ୍ଟ କେବଳ ପଶ୍ଚିମ ଓଡ଼ିଶାକୁ ପଛକୁ ନେବ । ବିଜେପି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଧର୍ମେନ୍ଦ୍ର । ଏହାସହ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶ ଗସ୍ତକୁ ମଧ୍ୟ ସମାଲୋଚନା କରି ଧର୍ମେନ୍ଦ୍ର ଶର ମାରିଛନ୍ତି । କହିଛନ୍ତି, କେବଳ ରାଜନୀତି କରିବାକୁ ପଶ୍ଚିମ ଓଡ଼ିଶା ଯାଇଛନ୍ତି ନବୀନ, ଯେଉଁ ରାଜେନ୍ଦ୍ର କଲେଜ ପଡ଼ିଆରେ ସମାବେଶ କରିଛନ୍ତି ସେହି କଲେଜରେ କାହିଁକି ଅଧ୍ୟାପକ ପଦବୀ ଖାଲି ପଡ଼ିଛି? କାହିଁକି ବଲାଙ୍ଗୀରରୁ ଦାଦନ ଖଟିବାକୁ ପାଇଁ ଯାଉଛନ୍ତି ଲୋକ? ଦୀର୍ଘ ସମୟ ଧରି ଶାସନ ଭାର ସମ୍ଭାଳିଥିବା ନବୀନ ବାବୁ କାହିଁକି ପଶ୍ଚିମ ଓଡ଼ିଶାର ବିକାଶା କରିପାରିନ ନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେଡି ଏହାର ଜବାବ ରଖିଛି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ନେତା ନବ ଦାସଙ୍କ ବିଜେଡିରେ ଯୋଗଦାନ ଏବଂ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ ସମର୍ଥନ ବିଜେପି ଶିବିରକୁ ଭୟବୀତ କରିଛି ।

ଏପରିକି ପ୍ରତାପ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, କାହାକୁ ଅସାଧୁ ମେଣ୍ଟ କହୁଛନ୍ତି କେନ୍ଦ୍ରମନ୍ତ୍ରୀ? କଟକ ସହରରେ ଅପରାଧୀଙ୍କ ସହ ବୈଠକ କରିଥିଲା କିଏ? ଅପରାଧୀମାନଙ୍କୁ ଓଡ଼ିଶାରେ ପ୍ରୋତ୍ସାହନ ଦେଉଛି କିଏ? ଅପରାଧୀଙ୍କୁ କଟକର ବାଇମୁଣ୍ଡି ବୋଲି ଧର୍ମେନ୍ଦ୍ର କହିଥିଲେ ନା ନାହିଁ ? ଯେଉଁ କେନ୍ଦ୍ରମନ୍ତ୍ରୀ ଅପରାଧୀଙ୍କ ସହ ବୈଠକ କରିଥିଲେ ତାଙ୍କ ମୁହଁରେ ଅସାଧୁ ମେଣ୍ଟ କଥା ଶୋଭା ପାଉନି ବୋଲି କହି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ କଡ଼ା ଜାବବ୍ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।