କାଲିଠୁ ବଣ୍ଟାହେବ ‘କାଳିଆ’ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ ସହାୟତା ରାଶି

ପୁରୀରେ ବିଶାଳ ଚାଷୀ ସମାବେଶ କରି ଯୋଜନା କାର୍ଯ୍ୟକାରୀ କରିବେ ନବୀନ

380

କନକ ବ୍ୟୁରୋ: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀ ଏହି ଯୋଜନାରେ ଟଙ୍କା ପାଇବେ । ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ଗୁଡ଼ିକରେ ଏହି ଯୋଜନାରେ ସରକାରୀ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ଯେଉଁଚାଷୀମାନେ ପ୍ରଥମ ପର୍ଯ୍ୟାୟରେ ତାଲିକାରୁ ବାଦ ପଡ଼ିଯାଇଛନ୍ତି । ସେମାନେ ସଂପୂର୍ଣ୍ଣ ତଥ୍ୟ ସହ ପୁଣି ଆବେଦନ କରିପାରିବେ । ଆଉ ଏସବୁ ଭିତରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାଂଟିବା ପାଇଁ ପୁରୀ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀକ୍ଷେତ୍ର ପୁରୀରୁ ‘କାଳିଆ’ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଯୋଗଇ ଦେବା କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବରେ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ‘କାଳିଆ’ ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଲେଖାଏଁ ଦିଆଯିବ ।

– ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଜଣ ଚାଷୀଙ୍କ ଖାତାକୁ ଟଙ୍କା ଯିବ

– ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଂଚିବ

– ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇବ

-ପଂଚାୟତକୁ ଯାଇ ଚାଷୀ ତାଲିକା ଦେଖିପାରିବେ, ଅବଶ୍ୟକସ୍ଥଳେ ଅଭିଯୋଗ କରିପାରିବେ

– ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି

– ଆବେଦନ ସଂପୂର୍ଣ୍ଣ ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଚାଷୀ ତାଲିକାରୁ ବାଦ ପଡ଼ିଛନ୍ତି

– ଏହି ଚାଷୀମାନେ ସଂପୂର୍ଣ୍ଣ ତଥ୍ୟ ସହ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ

ଚାଷୀଙ୍କ ଋଣ ଛାଡ ଯୋଜନାରେ ଓଡ଼ିଶା ସରକାର ସାମିଲ ନହୋଇ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରିଛନ୍ତି । ତେବେ ଏହି ଯୋଜନାକୁ ନିର୍ବାଚନ ପୂର୍ବରୁ ଟଙ୍କା ବାଂଟିବାର ଚାଲର ଆଖ୍ୟା ଦେଇଛି ବିରୋଧୀ । ତେବେ ରାଜନୀତିର ଏହି ଆରୋପ-ପ୍ରତ୍ୟୋରୋପ ଭିତରେ ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏହି କାଳିଆ ଯୋଜନା, ଓଡ଼ିଶାର ଏକ ବଡ ବର୍ଗକୁ ପ୍ରଭାବିତ କରିପାରେ ବୋଲି ଚର୍ଚ୍ଚା ହେଉଛି ।