ନନ୍ଦନକାନନର ପ୍ରତିଷ୍ଠା ଦିବସରେ ୬ଟି ବାଘ ଛୁଆଙ୍କର ହେଲା ନାମକରଣ । ବଜ୍ରକାପ୍ତା ଶରୀରରେ ଲାଗିଲା ଟ୍ରାନ୍ସମିଟର, ୬୨ ବର୍ଷ ପରେ ଏବେ ବି ଅନେକ ସମସ୍ୟା ।

134

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏଠାରେ ଜନ୍ମିତ ୬ଟି ବାଘ ଛୁଆଙ୍କର ଆଜି ନାମକରଣ କରିଛି। ୨୦୨୧ ମାର୍ଚ୍ଚ ୨୮ ତାରିଖରେ ବିଜୟା ଓ ସେଫ୍‌ଙ୍କ ଔରସରୁ ଜନ୍ମିତ ୩ ଅଣ୍ଡିରା ଛୁଆଙ୍କ ନାଁ ରକି, ବଂଶୀ ଓ ରାକେଶ ରଖିଥିବା ବେଳେ ମେଘା ଓ ନନ୍ଦନଙ୍କ ଔରସରୁ ଜନ୍ମିତ ୨ ଅଣ୍ଡିରା ଓ ଏକ ମାଈ ଛୁଆର ନାଁ ବିବେକ, ଅଭୟ ଓ ସୋହିନ ରଖିଛି। ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ନାମକରଣ କରାଯାଇଛି।

ଏକ ଭାରତୀୟ ବଜ୍ରକାପ୍ତାକୁ ରେଡିଓ ଟ୍ରାନ୍‌ସମିଟର ଲଗାଇ ହାତୀ ସଫାରୀ ପଛ ବଣରେ ଛଡାଯାଇଛି। ସମାରୋହରେ ଅତିଥିମାନଙ୍କ ଦ୍ୱାରା ନନ୍ଦନକାନନର ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ପିସିସିଏଫ୍‌ ତଥା ବନ ବିଭାଗର ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଥିଲେ। ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆଜି ନନ୍ଦନକାନନ ୬୨ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଏବେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି । ଏହି ବିଶାଳ ପ୍ରାଣୀ ଉଦ୍ୟାନର କଳେବର ବଢିବ କ’ଣ, ଦିନକୁ ଦିନ କମିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବିରଳ ପ୍ରଜାତିର ପ୍ରାଣୀଙ୍କ ମୃତ୍ୟୁ ହେଉଛି । ବଂଶବୃଦ୍ଧି ପାଇଁ ଯୋଜନା କରାଯାଉଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇପାରୁନାହିଁ । ଲୋପ ପାଇଯାଉଛନ୍ତି ବିରଳ ଜୀବଜନ୍ତୁ ଓ ପକ୍ଷୀ । ଏବେ ସୁଦ୍ଧା ୧୬୦ଟି ବାଘ ନନ୍ଦନକାନନରେ ଜନ୍ମ ନେଇଛନ୍ତି । କଳା ବାଘ ବଂଶ ବୃଦ୍ଧି ମଧ୍ୟ କିଛି ମାତ୍ରାରେ ସଫଳ ହୋଇଛି । ୧୯୮୦ରେ ସିଂହଙ୍କ ସଂଖ୍ୟା ଥିଲା ୫୬ । ସିଂହ ବଂଶ ବୃଦ୍ଧି ଯୋଜନା ଏବେ ପ୍ରଥମ ସୋପାନରେ ରହିଛି । ବହୁ ଦିନ ଧରି ବନ୍ଦ ରହିଥିବା ଟୟ ଟ୍ରେନ୍ ନଭେମ୍ବର ୧୭ରେ ନୂଆ ରୂପରେ ଆସିଛି । ଚଳାଚଳ କରିବାର ୪୮ ଘଂଟା ନପୁରୁଣୁ ଇଂଜିନ୍ରେ ସଟ୍ ସର୍କିଟ୍ ଯୋଗୁ ବନ୍ଦ ରହିଥିଲା । କିଛି ଦିନର ବ୍ୟବଧାନରେ ଟ୍ରାକ୍ ବାହାରକୁ ମଧ୍ୟ ଚାଲି ଯାଇଥିଲା । ପରବର୍ତୀ ସମୟରେ ମରାମତି କରାଯାଇ ଟୟ ଟ୍ରେନ୍ ଚାଲୁ ରହିଛି । ୨୦୧୨ରୁ ବନ୍ଦ ରହିଥିବା ନନ୍ଦନକାନନର ରୋପ ୱେ କାମ ଏପର୍ଯ୍ୟନ୍ତ ସରିନାହିଁ । ବହୁତଳ ପାର୍କିଂ କାମ ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇନି କି କାର୍ଯ୍ୟକ୍ଷମ ହୋଇପାରିନାହିଁ ।