ହିମାଚଳପ୍ରଦେଶରେ ଜଳପ୍ରଳୟ । ବ୍ୟାସ ନଦୀ ଭସାଇନେଲା ବଡ ବଡ କୋଠା ଓ ପୋଲ, କିନ୍ତୁ ସେମିତି ଅଟଳ ଭାବେ ଛିଡା ହୋଇଛି ଏହି ମହାଦେବ ମନ୍ଦିର ।

598

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ହିମାଚଳପ୍ରଦେଶରେ ଜଳପ୍ରଳୟ ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା କାରଣରୁ ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବା ବେଳେ ଅନେକ ଧନସମ୍ପତ୍ତି ନଷ୍ଟ ହେଉଛି । କେଉଁଠି ରାସ୍ତା ଭାଙ୍ଗି ଯାଉଛି ତ ପୁଣି କେଉଁଠି ପୋଲ ଭାସିଯାଉଛି । କିନ୍ତୁ ଏହା ଭିତରେ ସୋସିଆଲ ମିଡ଼ିଆରେ ମଣ୍ଡି ଜିଲ୍ଲାରେ ଥିବା ଐତିହାସିକ ପଞ୍ଚବକତ୍ର ମହାଦେବ ମନ୍ଦିରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଚାରିଆଡେ ପାଣି ଆଉ ମଝିରେ ମନ୍ଦିର ଛିଡା ହୋଇଛି । ଯାହା ୧୦ ବର୍ଷ ପୂର୍ବର କେଦାରନାଥ ମନ୍ଦିରର କଥା ମନେ ପକାଇ ଦେଉଛି ।

୧୦ ବର୍ଷ ପୂର୍ବେ ଯେବେ ମନ୍ଦାକିନୀ ନଦୀ ରୌଦ୍ର ରୂପ ଧାରଣା କରିଥିଲା ସେତେବେଳେ ଉତ୍ତରାଖଣ୍ଡରେ ଜଳପ୍ରଳୟ ଆସିଥିଲା । ସେତେବେଳେ ଅଧା ଉତ୍ତରାଖଣ୍ଡ ଜଳରେ ବୁଡି ରହିଥିଲା । ଅନେକ ଜୀବନହାନି ହୋଇଥିବା ବେଳେ ବଡ ବଡ କୋଠା ତାସ ଘର ଭଳି ଭୁଶୁଡି ପଡିଥିଲା । କିନ୍ତୁ ଅଟଳ ଓ ନିଶ୍ଚଳ ଭାବେ ଛିଡା ହୋଇ ରହିଥିଲା କେଦାରନାଥ ମନ୍ଦିର । ଠିକ୍ ସେହିଭଳି ହିମାଚଳପ୍ରଦେଶର ଆସିଥିବା ଜଳପ୍ରଳୟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବଡ ବଡ କୋଠା, ବ୍ରିଜ ଭୁଶୁଡି ପଡିଥିବା ବେଳେ ପୁରାତନ ପଞ୍ଚବକତ୍ର ମନ୍ଦିର ସେହିଭଳି ଛିଡା ହୋଇଛି । ଏହାକୁ ଲୋକେ ମହାଦେବଙ୍କ କୃପା ବୋଲି କହୁଛନ୍ତି ।

ଏହି ଐତିହାସିକ ପଞ୍ଚବକତ୍ର ମନ୍ଦିର ୩୦୦ ବର୍ଷ ପୁରୁଣା ମନ୍ଦିର । ଏହାକୁ ତକ୍ରାଳୀନ ରାଜା ସିଦ୍ଧ ସେନ୍ ନିର୍ମାଣ କରିଥିଲେ । ଏହି ମନ୍ଦିରରେ ପଞ୍ଚମୁଖୀ ଶିବଙ୍କ ପ୍ରତିମା ପୂଜା ପାଉଥିବା କାରଣରୁ ଏହାକୁ ପଞ୍ଚବକତ୍ର ମନ୍ଦିର ନାଁ ଦିଆଗଲା ।