ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଟଙ୍କା ଜମା ଓ ଉଠାଣ ପାଇଁ ଆସିଲା ନୂଆ ନିୟମ, ଆପଣଙ୍କର ବି ଜାଣିବା ନିହାତି ଆବଶ୍ୟକ ।

2,596

କନକ ବ୍ୟୁରୋ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ବଦଳିଲା ଟଙ୍କା ଜମା ଓ ଉଠାଣ ନିୟମ । ଏଣିକି ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଇବାକୁ ହେଲେ ଦେବାକୁ ପଡିବ ଆଧାର ନଚେତ ପାନ୍ କାର୍ଡର ନମ୍ବର । ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା କିମ୍ବା ତାହା ଠାରୁ ଅଧିକ ପରିମାଣର ଟଙ୍କା ଜମା କିମ୍ବା ଉଠାଣ କରୁଥିବେ ତେବେ ଆଧାର ଓ ପାନ୍ ନମ୍ବର ଅପରିହାର୍ଯ୍ୟ । ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ନୂଆ ନିୟମ ଆଣିଛି । ବ୍ୟାଙ୍କ, ଡାକଘର, କିମ୍ବା ସମବାୟ ସଂସ୍ଥା ସବୁ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ୧୦ ମେ’ ରେ ଏନେଇ ସିବିଡିଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଦିନକୁ ୫୦ ହଜାର ଟଙ୍କାରୁ ଅଧିକ ଜମା କରୁଥିଲେ ପ୍ୟାନ୍ ନମ୍ବର ଉଲ୍ଲେଖ କରିବାର ନିୟମ ରହିଛି । କିନ୍ତୁ ବାର୍ଷିକ ଆର୍ଥିକ କାରବାର ଉପରେ ସେମିତି କୌଣସି କଟକଣା ନଥିଲା । କିନ୍ତୁ ସରକାର ଏଥିରେ ପରବିର୍ତ୍ତନ ଆଣିଛନ୍ତି । ଆର୍ଥିକ କାରବାରରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ସରକାର ଏଭଳି ନିୟମ ଆଣିଥିବା କୁହାଯାଉଛି । ଏଭଳି ନିୟମ ଦ୍ୱାରା କେଉଁ ସୂତ୍ରରୁ ଟଙ୍କା ଆସୁଛି ଓ କେଉଁଠିକୁ ଯାଉଛି ତାହା ଉପରେ ବେଶ ସହଜରେ ନଜର ରଖିପାରିବେ ସରକାର । ଏହାଦ୍ୱାରା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇବ । ସେହିଭଳି କୌଣସି ବ୍ୟକ୍ତି ଯଦି ସମବାୟ ବ୍ୟାଙ୍କ, ପୋଷ୍ଟ ଅଫିସ, କିମ୍ବା ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲୁଛନ୍ତି ତେବେ ମଧ୍ୟ ପ୍ୟାନ୍ ଓ ଆଧାର ନମ୍ବର ଦେବା ବାଧ୍ୟତାମୂଳକ ରହିବ ।

ଏହାଦ୍ୱାରା କେବଳ ଯେ ଆର୍ଥିକ କାରବାରରେ ସ୍ୱଚ୍ଛତା ଆସିବ ତାହା ନୁହେଁ ବରଂ ଅନେକ ଲୋକଙ୍କୁ ଟିକସଦାତାଙ୍କୁ ସୂଚୀରେ ସାମିଲ କରାଯାଇପାରିବ । କାରଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଆର୍ଥିକ କାରବାର ହେଉଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟ ସହ ପ୍ୟାନ୍ ଲିଙ୍କ୍ ହୋଇନାହିଁ ଏବଂ ସେମାନେ ଟିକସ ମଧ୍ୟ ଦେଉନାହାନ୍ତି । ଯାହାଫଳରେ ସେମାନଙ୍କୁ ଠିକରେ ଟ୍ରାକ କରାଯାଇପାରୁ ନଥିଲା । ତେବେ ନୂଆ ନିୟମ ନିୟମ ଦ୍ୱାରା ପ୍ୟାନ୍ ନମ୍ବର ସାହାଯ୍ୟରେ ଆୟକର ବିଭାଗ ବେଶ ସହଜରେ ଏଭଳି କାରବାର ବାବଦରେ ଜାଣିପାରିବ ।

ସିବିଡିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି ଟଙ୍କା ଜମା ଏବଂ ଉଠାଣ ସମୟରେ ଆଧାର କିମ୍ବା ପ୍ୟାନ୍ ନମ୍ବର ଉଲ୍ଲେଖ କରିବେ। ସେହିଭଳି ଏହା ମଧ୍ୟ କୁହାଯାଇଛି ଯିଏ ଉକ୍ତ କାଗଜ ଗ୍ରହଣ କରୁଛନ୍ତି ‌ସିଏ ମଧ୍ୟ ଦେଖିବେ ଯେ ସଂପୃକ୍ତ ଗ୍ରାହକଙ୍କ ଆଧାର ନମ୍ବର କିମ୍ବା ପ୍ୟାନ ନମ୍ବର ଠିକ୍‌ଭାବେ ଉଲ୍ଲେଖ କରାଯାଇଛି। ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ବା ପ୍ୟାନ ନମ୍ବର ସହିତ ଅନ୍ୟାନ୍ୟ ସୂଚନା ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକ କିମ୍ବା ଏମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଜମା କରାଯିବ। ଏହି ନୂଆ ନିୟମ ଆସନ୍ତା ମେ’ ୨୬ରୁ କାର୍ଯ୍ୟକାରୀ ହେବ ।