ତେହରିକ-ଏ ତାଲିବାନ୍ ଆତଙ୍କବାଦୀକୁ ଟାର୍ଗେଟ କରି ପାକ୍ ସେନାର ଆକ୍ରମଣ । ଟିଟିପି ଆଡ୍ଡା ଉପରେ ବୋମା ବର୍ଷା

130

କନକ ବ୍ୟୁରୋ : ଯୁଦ୍ଧ ମୁହାଁ ପାକିସ୍ତାନ । ସବୁବେଳେ ଭାରତରେ ଅଶାନ୍ତି ସୃଷ୍ଟି କରୁଥିବା ପଡୋଶୀ ପାକିସ୍ତାନ ଏବେ ନିଜେ ଯୁଦ୍ଧ ମୁହାଁ ହୋଇଛି । ଯେଉଁ ଆତଙ୍କବାଦୀ ସଂଗଗଠନ ତାଲିବାନକୁ ସୃଷ୍ଟି କରିବା ସହ ପ୍ରୋତ୍ସାହନ ଦେଇ ପାଳିଥିଲା, ସେହି ତାଲିବାନ ସଂଗଠନ ଏବେ ପାକିସ୍ତାନ ପାଇଁ ବଡ ବିପଦ ଭାବେ ଉଭା ହୋଇଛି । ତାଲିବାନ ବିଚାର ଓ ଆଦର୍ଶ ସମାନ ଥିବା ଆତଙ୍କବାଦୀ ସଂଗଠନ ତେହରିକ୍-ଏ-ତାଲିବାନ୍ ବା ଟିଟିପି ସମାନ୍ତରାଳ ଭାବେ ପାକିସ୍ତାନରେ ଗଢ଼ି ଉଠିଥିଲା । ଯେଉଁ ସଂଗଠନ ଏବେ ପାକସ୍ତାନ-ଆଫଗାନିସ୍ତାନ ସୀମାରେ ନିଜର ସ୍ୱତନ୍ତ୍ର ଶାସନ ଚଳାଇଛି । ଆଉ ଇସଲାମାବାଦ ପ୍ରତି ଧିରେ ଧିରେ ବିପଦ ବଢୁଛି ।

ଗତ ଡିସେମ୍ବର ମାସରେ ସେହି ଆତଙ୍କବାଦୀ ସଂଗଠନର ଦ୍ୱାରା କରାଯାଇଥିବା ବିସ୍ଫୋରଣରେ ପାକିସ୍ତାନର ୬ଜଣ ସୈନିକ ଓ ସେନାଅଧିକାରୀ ପ୍ରାଣ ହରାଇଥିଲେ । ତାର ପ୍ରତିଶୋଧ ନେବାକୁ ଯାଇ ପାକିସ୍ତାନ ଆରମ୍ଭ କରିଛି ପାଲଟା ଆକ୍ରମଣ । ଆଫ୍ଗାନ୍ ସୀମାରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଛି । ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି । ଟିଟିପିର ଗଡ଼ କୁହାଯାଉଥିବା ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍ ବାୟୁସେନା ବୋମା ପକାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୬ ଜଣ ଏଥିରେ ଆହତ ହୋଇଛନ୍ତି ।

ଗୋଟିଏ ଦିନରେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମା ନିକଟରେ ଦୁଇ ଥର ବୋମା ପକାଇଛି । ଆଫଗାନିସ୍ତାନରେ ତାଲିବାନ୍ ଶାସନକୁ ଫେରିବା ପରଠୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଟିଟିପି ଅଧିକ ଶକ୍ତିଶାଳୀ ହୋଇଛି । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ଏବଂ ଶାସନରେ ଥିବା ବିଲାୱଲ ଜର୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଓ ଶାହବାଜ୍ଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ମେଂଟ ବିରୋଧରେ ଟିଟିପି ଖୋଲାଖୋଲି ଧମକ ଦେଇଛି । ଯଦି ଏହି ଦଳ କ୍ଷମତାରେ ରହି ସେନାର ଗୁଲାମୀ କରିବେ ତେବେ ସେମାନଙ୍କୁ ଟିଟିପି ଛାଡିବ ନାହିଁ ବୋଲି କହିଛି । ଏଥି ସହ ଦୁଇ ପାର୍ଟିରୁ ଲୋକେ ଦୂରତା ବଜାୟ ରଖିବାକୁ ମଧ୍ୟ ଟିଟିପି ଧମକ ଦେଇଛି ।