ପାକିସ୍ତାନରେ ଗୃହଯୁଦ୍ଧ, ତାଲିବାନ ବନାମ ପାକିସ୍ତାନ। ଆଫଗାନ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍।

245

କନକ ବ୍ୟୁରୋ: ପାକିସ୍ତାନ ସରକାର ସହ ଯୁଦ୍ଧ ବିରତି ଚୁକ୍ତି ଭାଙ୍ଗିଯିବା ପରେ ସେନା ଉପରେ ଜୋରଦାର ଆକ୍ରମଣ କରୁଛି ତେହେରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି । ସ୍ଥିତି ଏପରି ସଂଗୀନ ହୋଇପଡ଼ିଛି ଯେ, ପାକିସ୍ତାନ ସରକାରଙ୍କୁ ଚ୍ୟାଲେଞ୍ଜ କରି ଟିଟିପି ନିଜେ ଏକ ସମାନ୍ତରାଳ ସରକାର ଘୋଷଣା କରିଛି । ଏହାପରେ ପାକିସ୍ତାନୀ ସେନାର ନିଦ ହଜିଯାଇଛି, ଆଉ ପାକ୍ ସେନା ଟିଟିପି ଅଡ୍ଡା ଉପରେ ଆକ୍ରମଣ କରିଛି । ଆଫଗାନ୍ ସୀମାରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଛି । ତେହରିକ୍-ଏ-ତାଲିବାନ୍ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ପାକ୍ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି । ଟିଟିପିର ଗଡ଼ କୁହାଯାଉଥିବା ନାଙ୍ଗାହାର ରାଜ୍ୟର ସଲାଲା ଗୁପ୍ତା ସହରରେ ପାକ୍ ବାୟୁସେନା ବୋମା ପକାଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ୬ ଜଣ ଏଥିରେ ଆହତ ହୋଇଛନ୍ତି । ଗୋଟିଏ ଦିନରେ ପାକିସ୍ତାନ ସେନା ଆଫଗାନିସ୍ତାନ ସୀମା ନିକଟରେ ଦୁଇ ଥର ବୋମା ପକାଇଛି ।

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଅଧିକ ଉଗ୍ର ହୋଇଉଠିଛି ଟିଟିପି । କାରଣ ତାଲିବାନର ଏକ ଶାଖା ସଂଗଠନ ହେଉଛି ଟିଟିପି । ତାଲିବାନ ପରି ପୁରା ପାକିସ୍ତାନରେ ସରିଆ ଆଇନ ଲାଗୁ କରିବାକୁ ଟିଟିପି ଦାବି କରୁଛି ।

ଆଫଗାନିସ୍ତାନରେ ତାଲିବାନକୁ ପୁଣି ଥରେ କ୍ଷମତାକୁ ଆସିବାରେ ସବୁ ପ୍ରକାର ସହାୟତା ଯୋଗାଇ ଦେଇଥିଲା ପାକ୍ ସେନା । ହେଲେ ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ତେଜିଛି । ଏପରିକି ଉଭୟ ଦେଶର ସୀମା କୁହାଯାଉଥିବା ଡୁରାଣ୍ଡ ଲାଇନ୍ ପାଖରେ ଉଭୟ ପକ୍ଷ ମଧ୍ୟରେ ବାରମ୍ବାର ଗୁଳିଚାଳନା ଘଟଣା ସାମ୍ନାକୁ ଆସୁଛି । ତାଲିବାନ ଏହି ଡୁରାଣ୍ଡ ଲାଇନକୁ ମାନିବାକୁ ରାଜି ନାହିଁ । ଆଉ ଏହାର ପ୍ରଭାବ ପାକିସ୍ତାନ ଭିତରେ ମଧ୍ୟ ପଡ଼ୁଛି । ଟିଟିପି ଅଧିକ ଉଗ୍ର ଓ ଶକ୍ତିଶାଳୀ ହୋଇପଡ଼ିବା ସହ ବାରମ୍ବାର ଆକ୍ରମଣ କରୁଛି । ବିଶେଷକରି ଆଫଗାନିସ୍ତାନକୁ ଲାଗି କରି ଥିବା ଅଂଚଳରେ ଟିଟିପିର ଦବଦବା ରହିଛି । ଟିଟିପି ଏଠାରେ ନିଜର ସମାନ୍ତରାଳ ସରକାର ଗଢ଼ିଛି । ଏପରିକି ପ୍ରତିରକ୍ଷା, ଶିକ୍ଷା, ଆଇନ ପରି ବିଭାଗର ମନ୍ତ୍ରୀ ମଧ୍ୟ ନିଯୁକ୍ତ କରିଛି ତେହେରିକ-ଏ-ତାଲିବାନ । ଏହାସହ ଭିଡିଓ ଜାରି କରି ପାକିସ୍ତାନ ସରକାରକୁ ଚେତାବନୀ ଦେଇଛି । ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟୋଙ୍କ ନାଁ ନେଇ ସେମାନଙ୍କୁ ଟାର୍ଗେଟ କରିବାକୁ ଧମକ ଦେଇଛି । ଏହାସହ ସରିଫଙ୍କ ପିଏମଏଲ-ଏନ ଓ ଭୁଟୋଙ୍କ ପିପିପି ଦଳକୁ ସତର୍କ କରାଇଛି ଟିଟିପି । କେବଳ ୨୦୨୨ରେ ଟିଟିପି ଆକ୍ରମଣରେ ୨ ଶହରୁ ଅଧିକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି । ଡିସେମ୍ବରରେ ଆତଙ୍କବାଦୀ ସଂଗଠନର ବିସ୍ଫୋରଣରେ ୬ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ।