ପବଜିରୁ ପ୍ରେମ, ପାଗଳ କଲା ପ୍ରେମିକ । ୪ପିଲାଙ୍କ ସହ ଭାରତ ଆସିଲା ପ୍ରେମିକା । ପ୍ରେମିକ ପାଖରେ ପହଞ୍ଚିବା ପରେ …

1,003

କନକ ବ୍ୟୁରୋ : ପ୍ରେମ । କେତେବେଳେ ଆଉ କାହା ସହ ହୋଇଥାଏ ତାହା ଜଣାପଡ଼ିନଥାଏ । ପ୍ରେମ କେବେ ଦେଖେନାହିଁ ଜାତି କି ଧର୍ମ ଦେଖେନାହିଁ ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ମାତ୍ର ଅଢ଼େଇ ଅକ୍ଷରର ଏହି ଶବ୍ଦ ଭିତରେ ଭରି ରହିଛି ଅନେକ ମହତ୍ୱ । ଯିଏ ପ୍ରେମ କରିଛି କେବଳ ସେ ହିଁ ଜାଣିଛି ପ୍ରେମ କ’ଣ । କିନ୍ତୁ ଯେତେବେଳେ ଭାରତ ପାକିସ୍ତାନ କଥା ଉଠେ ସେତେବେଳେ କେବଳ ଶତ୍ରୁତା ମନକୁ ଆସିଥାଏ । କିନ୍ତୁ ପାକିସ୍ତାନ କନିଆକୁ ଭାରତ ବର । ଶୁଣିବାକୁ ଟିକେ ଖଟକା ଲାଗୁଛି ନାଁ । ବାସ୍ତବରେ ଏହି ପ୍ରେମ ପଛରେ ରହିଛି ପବଜି । ଖେଳରୁ ଆରମ୍ଭ ହୋଇଛି ପ୍ରେମ ଆଉ ଏହି ପ୍ରେମକୁ ପାଇବା ପାଇଁ ମହିଳା ଶତ୍ରୁ ଦେଶରୁ ଆସି ଭାରତରେ ପହଞ୍ଚିଛନ୍ତି । ଆପଣ ଯଦି ଏମାନଙ୍କ ପ୍ରେମ କାହାଣୀ ଶୁଣିବେ ତାହେଲେ ନିଶ୍ଚିତ କହିବେ କି, ସତରେ କଣ ପ୍ରେମ ମଣିଷକୁ ଏତେ ପାଗଳ କରିପାରେ ।

ପାକିସ୍ତାନର ୨୭ ବର୍ଷୀୟା ମହିଳା ସୀମା ହାଇଦର ଏବଂ ଭାରତର ଗ୍ରେଟର ନୋଏଡ଼ା ଅଂଚଳରେ ଗ୍ରୋସରୀ ଦୋକାନରେ କାମ କରୁଥିବା ସଚିନଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୀମା-ସଚିନ, ପାକିସ୍ତାନ-ଭାରତ । ଏହି ଦୁଇ ପ୍ରେମୀଯୁଗଳଙ୍କ ମାଧ୍ୟମ ସାଜିଥିଲା ପବଜି । କରୋନା ମହାମାରୀ ସମୟରେ ଉଭୟ ଅନଲାଇନରେ ପରିଚୟ ହୋଇଥିଲେ । ୨୦୨୦ ମସିହାରେ ପବଜି ଖେଳରୁ ହିଁ ସେମାନଙ୍କ ସମ୍ପର୍କ ବଢ଼ିଥିଲା । ପ୍ରଥମେ ବନ୍ଧୁତା ଆଉ ପରେ ପ୍ରେମର ରୂପ ନେଇଥିଲା । ଶେଷରେ ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଥିଲେ ସୀମା । ସୀମାଙ୍କ ସ୍ୱାମୀ ସାଉଦି ଆରବରେ ରୁହନ୍ତି । ପ୍ରଥମେ ପ୍ରଥମେ ସେମାନଙ୍କ ପରିବାର ଠିକସେ ଚଳୁଥିଲା । କିନ୍ତୁ ପରବର୍ତୀ ସମୟରେ ଛୋଟ ଛୋଟ କଥା ମାଡ଼ଧର କରୁଥିଲେ । ସାଉଦି ଆରବ ୪ବର୍ଷ ହେବ ଯାଇଥିବାବେଳେ ଘରକୁ ଆସିନାହାନ୍ତି ସୀମାଙ୍କ ସ୍ୱାମୀ । ଏହାରି ଭିତରେ ପବଜି ଖେଳରୁ ସଚିନଙ୍କ ସହ ପ୍ରେମ ହୋଇଯାଇଥିଲା । ଉଭୟ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ । ସୀମା ନିଜର ୪ ଛୁଆଙ୍କୁ ଧରି ସଚିନଙ୍କ ପାଖକୁ ଆସିବା ପାଇଁ ବାହାରିଥିଲେ । କିନ୍ତୁ ତାଙ୍କ ପାଖରେ ଏତେ ଟଙ୍କା କିମ୍ବା ଭାରତ ଆସିବା ପାଇଁ ଭିସା ନଥିଲା । ଶେଷରେ ସେ ଘରକୁ ୧୨ ଲକ୍ଷ ଟଙ୍କାରେ ବିକ୍ରି କରି ଭାରତ ଆସିବାକୁ ବାହାରିଥିଲେ । କିନ୍ତୁ ପାଖରେ ଭିସା ନଥିଲା ।

ନେପାଳ ଭିସା ନେଇଥିଲେ ସୀମା । କାଠମାଣ୍ଡୁରେ ଓହ୍ଲାଇ ବସ ଯୋଗେ ପୋଖରା ଯାଇଥିଲେ । ଏହାପରେ ସେ ଭାରତରେ ପହଚିଥିଲେ । ୪ ଛୁଆଙ୍କୁ ସାଙ୍ଗରେ ଧରିଥିବାବେଳେ କ୍ରମାଗତଭାବେ ବସ ବଦଳାଉଥିଲେ । ଯାହାଫଳରେ କାହାର ମଧ୍ୟ ସନ୍ଦେହ ହୋଇନଥିଲା । ଶେଷରେ ଯମୁନା ଏକ୍ସପ୍ରେସରେ ଆସି ସଚିନଙ୍କ ପାଖରେ ପହଂଚିଥିଲେ । ବାଟରେ ବହୁ ପୁଲିସ ଅଧିକାରୀ ତାଙ୍କୁ ପଚାରିଥିବାବେଳେ ସେ ତାଙ୍କ ନାମ ସୀମା ବୋଲି କହିଥିଲେ ଆଉ ନିଜକୁ ହିନ୍ଦୁ ବୋଲି ଦର୍ଶାଇଥିଲେ ।

ଉଭୟ ଏକ ଭଡ଼ାଘରେ ଆସି ରହିଥିଲେ । ସଚିନ ଏବଂ ସୀମା ଯେତେବେଳେ ଜଣେ ଓକିଲଙ୍କ ପରାମର୍ଶ ନେଇଥିଲେ ସେତେବେଳେ ସେମାନେ ଜଣାପଡ଼ିଥିଲେ । ଓକିଲ ତାଙ୍କୁ ଭିସା ମାଗିଥିବାବେଳେ ସେ ଦେଇପାରିନଥିଲେ  । ପରେ ଆଇନଜୀବୀ ଜଣକ ଅନୁସନ୍ଧାନ କରିବା ସହ ପୁଲିସକୁ ଖବର ଦେଇଥିଲେ । ମୋବାଇନ ଫୋନ ଟ୍ରାକ କରିବା ସହ ସେମାନଙ୍କୁ ଧରିଥିଲେ । ସୀମା ସଚିନଙ୍କୁ ବିବାହ କରିବା ପାଇଁ ଜିଦ ଧରି୍ଥିବାବେଳେ ପୁଲିସ ଯାଂଚ କରୁଛି । ଏପରକି ପାକିସ୍ତାନ ହାଇ କମିଶନଙ୍କୁ ମଧ୍ୟ ଖବର ଦିଆଯାଇଛି । ତେବେ ଏମାନଙ୍କ ପ୍ରେମ କାହାଣୀ ଯିଏ ଶୁଣୁଛି ସେ ତାଜୁବ ହେଉଛି ।