ଜନସଭାରେ ନୀତିନ ଗଡକରୀଙ୍କ ବଡ ଦାବି । କହିଲେ, ଆଗାମୀ ଦିନରେ ୧୫ ଟଙ୍କାରେ ମିଳିବ ପେଟ୍ରୋଲ

16,984

କନକ ବ୍ୟୁରୋ : ୨୦୧୪ ରୁ ୨୦୨୩ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପ୍ରତି ୮୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ହୋଇଛି । ଏହାକୁ ନେଇ ବିରୋଧୀମାନେ ବିଭିନ୍ନ ସମୟରେ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଏସବୁ ଭିତରେ ନୀତିନ ଗଡକରୀଙ୍କ ବୟାନ ଏବେ ସମସ୍ତଙ୍କୁ ଚକିତ କରିଛି । ଗଡକରୀ କହିଛନ୍ତି କି, ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଲିଟର ପ୍ରତି ୧୫ ଟଙ୍କାରେ ମିଳିବ ।

କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରାଜସ୍ଥାନର ପ୍ରତାପଗଡରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଏଭଳି କହିଛନ୍ତି । ଗଡକରୀ କହିଛନ୍ତି କି, ଦେଶରେ ଅଗଷ୍ଟ ମାସରେ ଟୟୋଟା କମ୍ପାନୀର ଗାଡି ଲଂଚ୍ ହେବାକୁ ଯାଉଛି । ଏହି ଗାଡି କୃଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇଥେନଲରେ ଚାଲିବ । ଦେଶର କୃଷକ ଏବେ କେବଳ ଅନ୍ନଦାତା ନୁହଁନ୍ତି ବରଂ ଶକ୍ତିଦାତା ବୋଲି ଗଡକରୀ କହିଛନ୍ତି ।

ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଗଡକରୀ କହିଛନ୍ତି କି ୪୦ ପ୍ରତିଶତ ବିଜୁଳି ଓ ୬୦ ପ୍ରତିଶତ ଇଥେନଲକୁ ହାରାହାରି ହିସାବ କଲେ ପେଟ୍ରୋଲର ଲିଟର ପ୍ରତି ଦାମ ୧୫ ଟଙ୍କା ହୋଇଯିବ । ଏହାଦ୍ୱାରା ଦେଶର ଜନତା ଉପକୃତ ହେବେ । ଏହାସହ ଦେଶର ଅନ୍ନଦାତା ମଧ୍ୟ ଶକ୍ତିଦାତା ହେବେ । ଏହାସହ ଏବେ କୃଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଇଥେନଲରେ ଉଡା ଜାହାଜ ଚାଲୁଥିବା କଥା ସେ କହିଛନ୍ତି ।

କେବଳ ଏହି କଥା ନୁହେଁ ରାଲିରେ ଗଡକରୀ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି । ସେ କହିଛନ୍ତି, କଂଗ୍ରେସ ଦେଶର ଗରୀବି ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦୀର୍ଘଦିନ ଶାସନ ଗାଦିରେ ରହିବା ପରେ ମଧ୍ୟ ଗରୀବି ଦୂର କରିବା ସମ୍ଭବ ହୋଇନାହିଁ । ମାତ୍ର କଂଗ୍ରେସ ତାର ଶାସନ ସମୟରେ ନିଜ ଲୋକଙ୍କର ଗରୀବି ଦୂର କରିପାରିଛି ବୋଲି ଗଡକରୀ କଟାକ୍ଷ କରିଛନ୍ତି ।