ସୁସ୍ଥ ହେବେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ । ଆଜିଠାରୁ ଠାକୁରଙ୍କୁ ଓଷଲାଗି

91

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅଣସର ଘରେ ଦାରୁବିଗ୍ରଙ୍କ ଉପଚାର ପାଇଁ ଚାଲିଛି ଗୁପ୍ତ ଉପଚାର । ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ସେବା କରୁଛନ୍ତି । ଆଜି ଠାକୁରଙ୍କୁ ଓଷୁଅ ଲାଗି କରାଯିବ । ତେବେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବଡ ଓଡିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ପୁଲୁରୀ ତେଲ ଯୋଗାଇ ଦିଆଯାଇଛି । ପ୍ରତିବର୍ଷ ଅଣସରରେ ମଠ ୬ ସେର ଏବଂ ନବକଳେବର ବର୍ଷରେ ୯ସେର ଫୁଲୁରୀ ତେଲ ଯୋଗାଇଦେଇଥାଏ ।

ମଠର ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀଙ୍କ କହିବା ମୁତାବକ, ଫୁଲୁରି ତେଲ ଗୋଟିଏ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୁଏ । ପୂର୍ବବର୍ଷ ହେରାପଞ୍ଚମୀ ତିଥି ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ରହିଥିବା ଦୁଇଟି ଘଡ଼ିରେ କିଛି ଘଣା ପେଡ଼ା ‌ରାଶି ତେଲ, ଔଷଧୀୟ ଚେରମୂଳି ଓ ସୁବାସିତ ତୈଳ ମିଶ୍ରିତ କରି ଏହାକୁ ମଠ ପରିସରରେ ଗାତ ଖୋଳି ପୋତି ଦିଆଯାଏ । ଫୁଲୁରି ତେଲ ପ୍ରସ୍ତୁତି ଗୁପ୍ତ ନୀତି ହୋଇଥିବାରୁ ମଠର ମଠାଧୀଶ ଓ ମଠର ପୁରୋଧାଙ୍କ ବ୍ୟତିରେକ ଅନ୍ୟ କେହି ଦେଖନ୍ତି ନାହିଁ ବୋଲି ସେ କହିଛନ୍ତି ।

ମଠାଧୀଶ ବଂଶୀଧର ଗୋସ୍ବାମୀଙ୍କ କହିବା ମୁତାବକ, ବର୍ଷକ ତଳୁ ଏହି ଘଣା ପେଡ଼ା ରାଶି ତେଲ ଓ ସୁବାସିତ ‌ଫୁଲ ମିଶ୍ରିତ କରି ଘଡ଼ିରେ ମୁଦ ଦିଆଯାଇ ଏହାକୁ ପୋତାଯାଉଥିଲେ ହେଁ ଋତୁ ଅନୁଯାୟୀ ଯେଉଁ ଫୁଲ ଫୁଟେ ତାହା ମଧ୍ୟ ସେଇ ତେଲରେ ମିଶାଯାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟି ତଳୁ ବାହାର କରାଯାଇ ଗୋଟିଏ ଘରେ ସାଇତି ରଖାଯାଏ । ଅନବସରର ୫ମ ଦିନ ହିଁ ଏହାକୁ ମହାପ୍ରଭୁଙ୍କୁ ଲାଗି ନିମନ୍ତେ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ପଠାଇ ଦିଆଯାଏ । ସେଠାରେ ପୁନର୍ବାର ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି କରାଯାଏ ।