ସାରଥୀଙ୍କ ସମର୍ଥକ କହିଲେ, ବାବା ତାଙ୍କ ପାଇଁ ଭଗବାନ : ଚମତ୍କାରୀତା ବଳରେ ଭଲ କରିଦେଇଥିଲେ ଦୁରାରୋଗ

ଅନ୍ଧଭାବେ କାହାରିକୁ ସମର୍ଥନ ନକରିବାକୁ ହେତୁବାଦୀଙ୍କ ପରାମର୍ଶ

305

କନକ ବ୍ୟୁରୋ : ଆତ୍ମ ଘୋଷିତ ବାବା ସାରଥୀ ପୁଣି ପ୍ରବଚନ ଦେବେ ବୋଲି ଶୁଣିବା ପରେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ । ଗତକାଲି ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କିଛି ସାରଥୀ ସମର୍ଥକ । ସେମାନଙ୍କ କହିବା ହେଲା ବାବା ସେମାନଙ୍କ ପାଇଁ ଭଗବାନ । କାରଣ ସାରଥୀଙ୍କ ଚମତ୍କାରୀତା ବଳରେ ସେମାନେ କିମ୍ବା ସେମାନଙ୍କ ସଂପର୍କୀୟ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଛନ୍ତି ।

ହେଲେ ହେତୁବାଦୀଙ୍କ କହିବା ହେଲା କାକତାଳିକ ନ୍ୟାୟରେ କିଛି କିଛି ରୋଗ ଭଲ ହୋଇଥାଇପାରେ । କିନ୍ତୁ ସାରଥୀ ଯଦି ଚମତ୍କାର କରିପାରୁଥିଲେ ତାହାହେଲେ ନିଜକୁ ଦୋଷମୁକ୍ତ କରିବା କିମ୍ବା ଜେଲରୁ ମୁକୁଳାଇବା ଭଳି ଚମତ୍କାର କାହିଁକି କରିପାରିଲେ ନାହିଁ । ତେଣୁ ନିଜ ଧର୍ମୀୟ ଦୁର୍ବଳତାରୁ କାହାରିକୁ ଅନ୍ଧଭାବେ ଅନୁସରଣ କରି ଆତ୍ମଘୋଷିତ ବାବାମାନଙ୍କ ଶୋଷଣର ଶିକାର ନହେବା ପାଇଁ ପରାମର୍ଶ ଦେଇଛନ୍ତି ହେତୁବାଦୀ ।

ବିବାଦୀୟ ସାରଥୀ ବାବାଙ୍କୁ ପୁଣି ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସାରଥୀ କୋର୍ଟରେ ଆବେଦନ କରିଥିଲେ,ଯେ ସେ ଜଣେ ବ୍ରାହ୍ମଣ ଏବଂ ପ୍ରବଚନ ଦେବା ତାଙ୍କର ଏକ ପେଶା । ଏବଂ ଏଥିରୁ ହିଁ ତାଙ୍କର ରୋଜଗାର ହୋଇଥାଏ । ଶେଷରେ କୋର୍ଟ ପ୍ରବଚନ ଦେବା ପାଇଁ ତାଙ୍କୁ ସର୍ତମୂଳକ ଅନୁମତି ଦେଇଛନ୍ତି । କେନ୍ଦ୍ରାପଡା ବାରିମୁଳ ଆଶ୍ରମ ଛଡା ଅନ୍ୟ ସ୍ଥାନରେ ପ୍ରବଚନ ଦେବା ପାଇଁ ଅନୁମତି ମିଳିଛି ।