ଆଖି ବୁଜିଲା ମୟୂରଭଂଜ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ : ଅସୁସ୍ଥ ଶାବକକୁ ଛାଡି ଚାଲିଯାଇଥିଲା ମାଆ ହାତୀ

ଗତ ୮ ତାରିଖରେ ଉଦ୍ଧାର କରି ଚିକିତ୍ସା କରୁଥିଲା ବିଶୋଇ ବନବିଭାଗ

139

କନକ ବ୍ୟୁରୋ : ଡାକ୍ତରୀଦଳଙ୍କ ବହୁ ଚେଷ୍ଟା ପରେ ବି ବଂଚି ପାରିଲା ନାହିଁ ହାତୀ ଛୁଆ । ଶେଷରେ ଆଖି ବୁଜିଲା ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହାତୀ ଛୁଆ । ମୟୂରଭଂଜ ଜିଲ୍ଲା ବିଶୋଇ ରେଂଜ ସରଗଡା ଫରେଷ୍ଟ ବିଟ୍ ଅନ୍ତର୍ଗତ ଟୁଙ୍ଗୁରୁ ରିଜର୍ଭ ଜଙ୍ଗଲରୁ ଉଦ୍ଧାର ହୋଇଥିବା ହାତୀ ଛୁଆର ମୃତ୍ୟୁ ହୋଇଛି । ଟୁଙ୍ଗୁର ସଂରକ୍ଷିତ ଜଙ୍ଗଲରେ ପାଂଚ ଟିକିଆ ହାତୀପଲ ଥିବା ବେଳେ ସେଠାରେ ଏହି ହାତୀ ଛୁଆଟି ଜନ୍ମଗ୍ରହଣ କରିଥିଲା । ହାତୀ ଛୁଆଟି ଜନ୍ମରୁ ଅସୁସ୍ଥ ଥିବାରୁ, ସେ ଚାଲି ପାରିନଥିଲା । ତେଣୁ ମା ହାତୀ, ଛୁଆକୁ ଏକା ଛାଡି ହାତୀପଲଙ୍କ ସହ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା ।

ଗତ ୮ ତାରିଖ ଦିନ ସକାଳୁ ବିଶୋଇ ବନବିଭାଗ ହାତୀ ଶାବକଟିକୁ ଉଦ୍ଧାର କରି ବିଶୋଇ ରେଂଜ କାର୍ଯ୍ୟାଳୟକୁ ଆଣିଥିଲେ । ସେଠାରେ ହାତୀ ଛୁଆର ଚିକିତ୍ସା ଜାରି ରହିଥିଲା । ବାରିପଦାର ଏକ ଡାକ୍ତରୀ ଦଳ ହାତୀ ଛୁଆର ଚିକିତ୍ସା ଜାରି ରଖିଥିବା ବେଳେ ଏସ୍ଟିଆର ରେସ୍କ୍ୟୁ ଟିମ୍ ମଧ୍ୟ ବିଶୋଇ ରେଂଜ କାର୍ଯ୍ୟାଳୟରେ ପହଂଚିଥିଲେ । ମାଆ କ୍ଷୀରର ଅଭାବକୁ ଦୃଷ୍ଟିରେ ରଖି ଲାକ୍ଟଜେନ୍ ଦିଆଯାଇଥିଲା କିନ୍ତୁ ସେଥିରେ ମଧ୍ୟ ଡିହାଇଡ୍ରେସନ୍ ହେବାରୁ ପୁଣି ସାଲାଇନ୍ ଦିଆଯାଉଥିଲା । ତେବେ ସବୁ ଚେଷ୍ଟା ସତ୍ୱେ ହାତୀ ଛୁଆଟି ସୁସ୍ଥ ହୋଇ ପାରିଲା ନାହିଁ, ଶେଷରେ ତାର ମୃତ୍ୟୁ ହୋଇଛି । ହାତୀ ଛୁଆଟିର ଶବ ବ୍ୟବଛେଦ କରାଯିବା ପରେ ରେଂଜ କାର୍ଯ୍ୟଳୟ ପରିସରରେ ପୋତି ଦିଆଯାଇଛି ।