ଅବକାରୀ ଦୁର୍ନୀତିରେ ଇଡିର ବଡ଼ ଚଢ଼ାଉ, ୩୦ରୁ ଅଧିକ ସ୍ଥାନରେ ଖୋଳତାଡ଼

131

କନକ ବ୍ୟୁରୋ :  ଅବକାରୀ ଦୁର୍ନୀତିରେ ସିବିଆଇ ପରେ ଏବେ ଆକ୍ସନରେ ଇଡି । ମଙ୍ଗଳବାର ଦିଲ୍ଲୀ, ୟୁପି, ପଞ୍ଜାବ ସମେତ କିଛି ରାଜ୍ୟରେ ଅବକାରୀ କାରବାରର ଠିକଣା ଉପରେ ଚଢ଼ାଉ କରିଛି । ଦିଲ୍ଲୀର ଗୁରୁଗ୍ରାମ, ୟୁପିର ଲକ୍ଷେ୍ନø, ହାଇଦ୍ରାବାଦ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ୩୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି । ଅଭିଯୁକ୍ତ ସମୀର ମହେନ୍ଦ୍ରଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ କରିଛି । ଇଡିର ଚଢ଼ାଉକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । କହିଛନ୍ତି, ପ୍ରଥମେ ସିବିଆଇ ଚଢ଼ାଉ କଲା, ଏଥିରେ ସେମାନଙ୍କୁ କିଛି ମିଳିଲା ନାହିଁ । ଏବେ ଇଡିର ଚଢ଼ାଉରେ ମଧ୍ୟ କିଛି ମିଳିବ ନାହିଁ ବୋଲି କହିଛନ୍ତି ସିସୋଦିଆ ।

କେଉଁ ମାମଲାରେ ହେଉଛି ଚଢ଼ାଉ?
–    ଅବକାରୀ ନୀତିରେ ପରିବର୍ତ୍ତନ ଆଣି କୋଟି କୋଟି ଟଙ୍କା ହଡ଼ପ କରିଥିବା ଦିଲ୍ଲୀ ସରକାରୀ କର୍ମଚାରୀ ଓ ଅବକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ କରାଯାଉଛି ।
–    ଇଡି, ସିବିଆଇ ସ୍କାନରରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ କିଛି ନେତା ।
–    ଅବକାରୀ ଦୁର୍ନୀତି ମାଧ୍ୟମରେ ବିପୁଳ ପରିମାଣର ଅର୍ଥକୁ ହଡ଼ପ କରିଥିବା ନେଇ ବିଭିନ୍ନ ନକଲି ମଦ କମ୍ପାନୀରେ ତଦନ୍ତ ଚାଲିଛି ।
–    ଅବକାରୀ ନୀତି ଗଠନ କରିବା ଓ ଏହାକୁ ପରିବର୍ତ୍ତନ କରିବା ପାଇଁ ଯେଉଁ ଅଧିକାରୀମାନେ ବାଧ୍ୟ କରିଥିଲେ, ସେମାନଙ୍କର ଭୂମିକାକୁ ନେଇ ଚାଲିଛି ତଦନ୍ତ ।
–    କେମିତି ବଦଳିଲା ଅବକାରୀ ନୀତି?
–    ପରିବର୍ତ୍ତିତ ଅବକାରୀ ନୀତିକୁ କିଏ ପ୍ରଭାବିତ କରିଥିଲା?
–    କମ୍ ବିଡ୍ ଦାଖଲ କରିଥିବା କମ୍ପାନୀଗୁଡ଼ିକୁ ଲାଇସେନ୍ସ ମିଳିଲା କିପରି?
–    ବେଆଇନ୍ ଭାବେ ୮୦ ପ୍ରତିଶତ ଅପ୍ରତ୍ୟାଶିତ ଲାଭ କରିବା ପରେ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ

ଇଡିର ଚଢ଼ାଉକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଚଢ଼ାଉ ନହେବା ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ଆପ୍ ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି ଯେ ସିବିଆଇ ରେଡରେ ମନିଷ ସିସୋସିଆଙ୍କ ଘରୁ କିଛି ମିଳିଲା ନାହିଁ । ମନିଷ ସିସୋଦିଆଙ୍କ ଘରେ ମିଡିଆ ଥିବାରୁ ଇଡି ଚଢ଼ାଉ କରିନାହିଁ । ତଦନ୍ତ ପରେ ସିବିଆଇ ଯେପରି ତାଙ୍କୁ କ୍ଲିନ୍ ଚିଟ୍ ଦେଲା, ଇଡି ମଧ୍ୟ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ସୌରଭ କହିଛନ୍ତି । ସେପଟେ ବିଜେପି ସାଂସଦ ମନୋଜ ତିୱାରୀ ଆପ୍ ଉପରେ ବର୍ଷିଛନ୍ତି । କଂଗ୍ରେସ ମଧ୍ୟ ଇଡିର ଆକ୍ସନ ନେଇ ପ୍ରତିକ୍ରିୟା ରଖିଛି ।

ନୂଆ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ଉପରାଜ୍ୟପାଳ ଭିକେ ସାକ୍ସେନା ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଥିଲେ । ଯାହା ପରେ ଦିଲ୍ଲୀ ସରକାର ଅବକାରୀ ନୀତି ୨୦୨୧-୨୨କୁ ପ୍ରତ୍ୟାହାର କରିନେଇଥିଲେ । ତେବେ ରାଜ୍ୟରେ ସେପ୍ଟେମ୍ବର ୧ରୁ ପୁରୁଣା ଅବକାରୀ ନୀତି ପୁନର୍ବାର ଲାଗୁ କରାଯାଇଥିଲା । ନୂଆ ନୀତି ଲାଗୁ ହେବା ପୂର୍ବରୁ ହିଁ କିଛି ଲାଇସେନ୍ସ ପ୍ରାପ୍ତ ଡିଲର ସେମାନଙ୍କର ଲାଇସେନ୍ସକୁ ସରେଣ୍ଡର କରିଦେଇଥିଲେ ।

ଅବକାରୀ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୩୦ ତାରିଖରେ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ସିବିଆଇ ଗାଜିଆବାଦ ବ୍ୟାଙ୍କରେ ଥିବା ତାଙ୍କ ଲକର ଗୁଡ଼ିକୁ ଯାଂଚ କରିଥିଲା ।  ଅବକାରୀ ନୀତି ମାମଲାରେ ସିବିଆଇ ଏଫଆଇଆରରେ ଥିବା ୧୫ ଜଣଙ୍କ ମଧ୍ୟରୁ ସିସୋଦିଆ ଅନ୍ୟତମ ଅଭିଯୁକ୍ତ ।