ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ : କର୍ପୋରେଟ୍ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ ଟୁ ୱାନ ଆଲୋଚନା

114

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । କର୍ପୋରେଟ୍ ଟାଇକୁନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ୱିପ୍ରୋ ହେଲ୍ଥକେୟାର ୟୁନିଟର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟମ ମଧ୍ୟ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହ ପେଜ୍ ଇଣ୍ଡଷ୍ଟ୍ରିର ସିଇଓ ଭିଜି ଗଣେଶ, ଟିଟିକେ ପ୍ରେଷ୍ଟିଜ ଲିମିଟେଡର ପି.ସତ୍ୟନାରାୟଣନ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେହିପରି ‘ଫ୍ଲିପକାର୍ଟ’ର ରଜନୀଶ କୁମାର, ‘ଆସେନଚର’ର ଅବଦୁଲ ଅଜିଜ୍, ‘ଅର୍ଣ୍ଣେଷ୍ଟ ଆଣ୍ଡ ୟଙ୍ଗ’ର ଗୌରବ ତନେଜାଙ୍କ ସହ ନବୀନ ଆଲୋଚନା କରିଛନ୍ତି । ଇଣ୍ଡୋ ନିସାନ ଫୁଡସର ଗୌତମ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ନିବେଶକ ସମ୍ମିଳନୀରେ ଓଡିଶାରେ ନିବେଶ ପାଇଁ ନବୀନ ଆହ୍ୱାନ ଦେଇଛନ୍ତି ।

ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଛି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ । ଏହି କନକ୍ଲେଭରେ ସାମିଲ ହେବାକୁ ଥିବା ନିବେଶକଙ୍କୁ ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି । ନବୀନ କହିଛନ୍ତି, ସବୁ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି । ଓଡ଼ିଶାର ସାମର୍ଥ ହେଉଛି ପ୍ରାକୃତିକ ସଂପଦ, କୁଶଳୀ ମାନବ ସମ୍ବଳ ଏବଂ ସ୍ଥିର ସରକାର । ନିବେଶ ପାଇଁ ଓଡ଼ିଶା ଆଗ୍ରଣୀ ସ୍ଥାନ ଭାବେ ପରିଗଣିତ ହେଉଛି । ଭାରତର ପ୍ରମୁଖ ଆଇଟି କଂପାନୀର ଶାଖା ଭୁବନେଶ୍ୱରରେ ଖୋଲିଛି । ଷ୍ଟାଟଅପ୍ ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି । ନବୀନ କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ନିବେଶ ପାଇଁ ଭାରତର ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ସାରା ବିଶ୍ୱର ନିବେଶକ ଯୋଗ ଦେବେ । ନିବେଶକଙ୍କୁ କି ପ୍ରକାର ସୁବିଧା ସୁଯୋଗ ଦିଆଯିବ, ତାହା ଉପସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରହିଛନ୍ତି । ଏହି ଇନଭେଷ୍ଟର୍ସ ମିଟ ବା ନିବେଶକ ସମ୍ମିଳନୀରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶା ପରିଚାଳନା ଅଧ୍ୟକ୍ଷ ଓମକାର ରାଏ ପ୍ରମୁଖ ଉପସ୍ଥିତ ରହିଥିଲେ । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଅନୁରୂପ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।