ଆଜି ରାଜଧାନୀରେ ପାୱାର ସୋ : ଶକ୍ତି ପ୍ରଦର୍ଶନ କରିବେ ବିଜେପି-ବିଜେଡି

162

କନକ ବ୍ୟୁରୋ : ଆଜି ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରୋଡ୍ ସୋ’ କରି ଜନତା ମଇଦାନ ଯିବେ । ଜନତା ମଇଦାନରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ସେ ଉଦବୋଧନ ଦେବେ । ଏହା ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର କମିଟି ବୈଠକ ବସିବ ।

ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହା ପରେ ସଂଧ୍ୟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।

 ବିଜେପିକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ବିଜେଡି । ବଡ଼ ସମାବେଶ ନ କରି ସାଂଗଠନିକ ଶକ୍ତି ପ୍ରଦର୍ଶନ କରିବାକୁ ଏକ ତାଲିମ ଶିବିର କରୁଛି ଦଳ । ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମରେ ସଂଗଠନକୁ ଶକ୍ତିଶାଳୀ କରିବାକୁ ମନ୍ତ୍ରଣା ଚାଲିବ । ଆସନ୍ତା ୨ ତାରିଖରୁ ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି ।

‘ବିଜୁ ଜନତା ଦଳ-ଏକ ସାମୁହିକ ଆନ୍ଦୋଳନ’ ନାରା ଦେଇ ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକର ପଦାଧିକାରୀ, ସାଂସଦ ଓ ବିଧାୟକଙ୍କୁ ଡକାଯାଇଛି । ପ୍ରତିଦିନ ଦୁଇରୁ ଅଢେଇ ହଜାର ଲୋକଙ୍କ ସମାଗମ ହେବ । ଦିନ ତମାମ ପଦାଧିକାରୀଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ ।