ଅନୁପ ସାଏଙ୍କୁ ମିଳିଲା ଶାସ୍ତି । କଳ୍ପନା ଦାଶ ଓ ଝିଅ ବବଲି ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ ।

151

କନକ ବ୍ୟୁରୋ: ପ୍ରାୟ ସାଢ଼େ ୫ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବଲି ହତ୍ୟା ମାମଲାରେ ରାୟ ଆସିଛି । ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ । ତେବେ ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ ।

ପରକୀୟା ପ୍ରୀତି, ହତ୍ୟା ଓ ଷଡ଼ଯନ୍ତ୍ରର ଏହା ଏପରି କାହାଣୀ ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭୁବନେଶ୍ୱରରୁ ରାୟଗଡ଼ ଭାୟା ଝାରସୁଗୁଡ଼ା ଦେଇ ଗତି କରିଥିଲା ଏହି ବର୍ବର କାହାଣୀ । ଜଣେ ପୂର୍ବତନ ବିଧାୟକ ଯେ ଏତେ ନୃଶଂସ ଭାବେ ହତ୍ୟାକାରୀ ପାଲଟି ଯାଆନ୍ତି, ତାହା ବିଶ୍ୱାସ କରିବା ମଧ୍ୟ କଷ୍ଟକର ଥିଲା । ପ୍ରାୟ ସାଢ଼େ ୫ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବଲି ହତ୍ୟା ମାମଲାରେ ରାୟ ଆସିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ।

ଏହି ଘଟଣାରେ ଅନୁପ ସାଏଙ୍କ ବିରୋଧରେ ଲାଗିଥିଲା ଆଇପିସି ଧାରା ୩୦୨, ୨୦୧ ଏବଂ ୧୨୦(ବି)/୩୪ । ତେବେ ୫୦ଜଣ ସାକ୍ଷୀଙ୍କ ବୟାନକୁ ଆଧାରରେ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଛନ୍ତି କୋର୍ଟ ।

  • ଧାରା ୩୦୨ – ହତ୍ୟା – ଆଜୀବନ ଜେଲ୍
  • ଧାରା ୨୦୧ – ପ୍ରମାଣ ନଷ୍ଟ – ୭ ବର୍ଷ ସଶ୍ରମ କାରାଦଣ୍ଡ
  • ଧାରା ୧୨୦(ବି)/୩୪ – ଷଡ଼ଯନ୍ତ୍ର ଓ ଏକାଧିକ ବ୍ୟକ୍ତି ଅପରାଧରେ ଲିପ୍ତ
  • ପ୍ରତ୍ୟେକ ଧାରାରେ ୫ ହଜାର ଲେଖାଏଁ ଜରିମାନା

ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ତେବେ ୨୦୧୬ ମେ’ ୬ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୁଲିସ । ଅପରାଧର ଏହି ପୂରା କାହାଣୀ, ଯେତେବେଳେ ସାମନାକୁ ଆସିଲା, ସେତେବେଳେ ଚାରିଆଡେ ହଇଚଇ ଖେଳି ଯାଇଥିଲା । ସେହି କାଳ ରାତିର ଲୋମହର୍ଷଣକାରୀ ଘଟଣା ଉପରେ ଥରେ ନଜର ପକାନ୍ତୁ…

୬ ମେ’ ୨୦୧୬ରେ ରାୟଗଡର କୌଣସି ଏକ ମନ୍ଦିରରେ କଳ୍ପନାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ଭୁବନେଶ୍ୱରରରୁ କଳ୍ପନା ଦାସଙ୍କୁ ନେଇ ଆସିଥିଲେ ଅନୁପ ସାଏ । ସାଙ୍ଗରେ ଆସିଥିଲେ କଳ୍ପନାଙ୍କ ଝିଅ ବବଲି । ୪ ଜଣ ଅର୍ଥାତ ଅନୁପ ସାଏ, ତାଙ୍କ ଡ୍ରାଇଭର ବର୍ଦ୍ଧନ, କଳ୍ପନା ଓ ତାଙ୍କ ଝିଅ ବବଲି ପୂର୍ବ ଯୋଜନା ମୁତାବକ ଭୁବନେଶ୍ୱରରୁ ବ୍ରଜରାଜନଗର ଦେଇ ଛତିଶଗଡର ରାୟଗଡ ଅଭିମୁଖେ ବାହାରିଥିଲେ । ହେଲେ ହତ୍ୟାର ଷଡ଼ଯନ୍ତ୍ର ପାଇଁ ପୂରା ଯୋଜନା କରି ସାରିଥିଲେ ଅନୁପ ।

ହମିରପୁର ରାସ୍ତାର ସାକମ୍ବରୀ ପ୍ଲାଣ୍ଟ ନିକଟରେ ଏକ ନିର୍ଜନ ସ୍ଥାନରେ ଅଚାନକ ଅଟକି ଯାଇଥିଲା ତାଙ୍କର ବୋଲେରୋ ଗାଡି । ଆଉ ମାଆ, ଝିଅଙ୍କୁ ଗାଡିରୁ ଓହ୍ଲାଇ ଦେଇ ପୂର୍ବ ଯୋଜନା ମୁତାବକ ଗାଡିରେ ଥିବା ଏକ ଲୁହା ରଡରେ ପିଟି ଦୁହିଁଙ୍କୁ ନିଜେ ହତ୍ୟା କରିଥିଲେ ଅନୁପ ସାଏ । ଅତି ନୃସଂଶ ଭାବେ ଦୁହିଁଙ୍କୁ ହତ୍ୟା କରିବା ପରେ ସେହିଠାରେ କଚ୍ଚା ରାସ୍ତାରେ ଫିଙ୍ଗି ଦେଇଥିଲେ ଏବଂ ମୃତକଙ୍କ ପରିଚୟ ଲୁଚାଇବା ପାଇଁ ଦୁଇ ମୃତଦେହ ଉପରେ ବୋଲେରୋ ଗାଡି ଚଢାଇ ଦେଇଥିଲେ । ପ୍ରାୟ ୧୦ ବର୍ଷ ଧରି ଯେଉଁ କଳ୍ପନାଙ୍କ ସହ ସ୍ୱାମୀ-ସ୍ତ୍ରୀ ଭଳି ଚଳି ଆସୁଥିଲେ, ସେ ପତ୍ନୀର ମର୍ଯ୍ୟାଦା ଓ ସମ୍ପତିରେ ଭାଗ ମାଗିବାରୁ ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ ଅନୁପ ।