ଶର୍ମିଷ୍ଠାଙ୍କ ପରେ ସତ ମାନିଲେ ନିରଞ୍ଜନ । ସମ୍ପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ନେଇ ଅଧିକ ତଥ୍ୟ ଆଦାୟ କଲା କ୍ରାଇମବ୍ରାଞ୍ଚ

184

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠା ରାଉତ ସତ ମାନିସାରିଥିବା ବେଳେ ଏବେ ସତ ମାନିଛନ୍ତି ନିରଞ୍ଜନ ସେଠୀ । ମାନସ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ସ୍ୱୀକାର କଲେ ନିରଞ୍ଜନ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ସୂଚନା ଅନୁସାରେ ନିରଞ୍ଜନ ଦୟାଲ ଆଶ୍ରମକୁ ରିତିମତ ଯାଉଥିବା କଥା ମାନିଛନ୍ତି । ଜେରାବେଳେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସେ ଏହା କହିଛନ୍ତି । ୭ ଫେବ୍ରୁଆରୀରେ ଶର୍ମିଷ୍ଠା ଅଫିସରେ ଥିବା ବେଳେ ନିରଞ୍ଜନ ଆସିଥିଲେ । ଆଶ୍ରମରୁ ମାନସଙ୍କୁ ଅଫିସକୁ ଅଣାଯାଇଥିଲା । ମାନସଙ୍କୁ କାଳିଆପାଣି ନେବାକୁ କାର ଯୋଗାଡ଼ କରିଥିଲେ ନିରଞ୍ଜନ । ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ।

ଅନ୍ୟପଟେ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡର ଶେଷ ଦିନର ଶର୍ମିଷ୍ଠାଙ୍କୁ ଜେରାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଭିଡିଓ ଫୁଟେଜକୁ ନେଇ ମାନସଙ୍କୁ ହତ୍ୟା କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଏବେ ପ୍ରଶ୍ନ ଉଠୁଛି ଏହି ଭିଡିଓ ଫୁଟେଜରେ କଣ ରହିଥିଲା, ଯାହାକୁ ନେଇ ମାନସକୁ ହତ୍ୟା କରାଯାଇଛି । ସେପଟେ ଆଜି ଉଭୟ ଶର୍ମିଷ୍ଠା ଓ ନିରଞ୍ଜନକୁ ସମ୍ପୂର୍ଣ୍ଣ ଅଫିସକୁ ନେଇ ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ । ସମ୍ପୂର୍ଣ୍ଣ ଅଫିସରେ ପୁରା ଘଟଣାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏଠାରେ କାଗତପତ୍ର ଯାଞ୍ଚ କରିଛି ତଦନ୍ତକାରୀ ଟିମ୍ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସମ୍ପୂର୍ଣ୍ଣ ଅଫିସ୍ ଅଣାଯାଇଛି । ଉଭୟ ଅଭିଯୁକ୍ତଙ୍କ ମୁହଁ ଘୋଡ଼ାଇ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସମ୍ପୂର୍ଣ୍ଣ ଅଫିସକୁ ଆଣିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ପ୍ରଶ୍ନ ପଚାରିଥିଲେ ବି କୌଣସି ଉତ୍ତର ମିଳି ନଥିଲା । ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ଅଫିସରେ କାଗଜପତ୍ର ସବୁ ଯାଞ୍ଚ କରିଛନ୍ତି ଅଧିକାରୀ । କାରଣ ଏଠାରେ ହିଁ ହୋଇଥିଲା ପୁରା ଅପହରଣ ଆଉ ମର୍ଡରର ବ୍ଲୁପ୍ରିଣ୍ଟ । ଏପରିକି ହତ୍ୟାକାଣ୍ଡ ପରେ ପ୍ରମାଣ ଲୁଚାଇବାକୁ ବି-୨୦୪ ଆପାର୍ଟମେଣ୍ଟରେ କାରକୁ ଲୁଚାଯାଇଥିଲା । ତେଣୁ ସବୁ ବିବାଦର ମୂଳ କୁହାଯାଇଥିବା ମେମୋରି ଚିପ୍ ନିରଞ୍ଜନ ଓ ଶର୍ମିଷ୍ଠା କାଳେ ଏଠାରେ ଲୁଚାଇଥାଇପାରନ୍ତି, ତାକୁ ନେଇ ଖୋଳତାଡ଼ ହୋଇଛି । କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ କିଭଳି ହୋଇଥିଲା, ଶବ କିଭଳି ପୋତା ଯାଇଥିଲା, ସେ ଉପରୁ ପରଦା ହଟିସାରିଥିବା ବେଳେ ଏବେ ଯାହା ଅସ୍ପଷ୍ଟ ରହିଛି, ତାହା ହେଲା ହତ୍ୟାକାଣ୍ଡର ପ୍ରକୃତ କାରଣ ।

  • କାହିଁକି ଶର୍ମିଷ୍ଠା ଓ ସହଯୋଗୀ ମିଶି ମାନସଙ୍କ ଜୀବନ ନେଇଗଲେ?
  • ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ଥିଲା?
  • ମେମୋରୀ ଚିପ୍ ପାଇଁ ଯଦି ହତ୍ୟା କରାଗଲା, ସେଥିରେ ଥିଲା କଣ?
  • ଏବେ ସେଇ ମେମୋରୀ ଚିପ୍ କେଉଁଠି?
  • ନିରଞ୍ଜନ ସେଠୀ, ଶର୍ମିଷ୍ଠା ରାଉତଙ୍କୁ ଏନେଇ ପ୍ରଶ୍ନ ହେଲାଣି ନା ନାହିଁ?

୫ ଦିନିଆ ରିମାଣ୍ଡରେ ଯଦି ହତ୍ୟାକାଣ୍ଡର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଗଲା, ତେବେ ହତ୍ୟା ପଛର କାରଣ ନେଇ କିଭଳି ତଥ୍ୟ ପାଇଲାନି । ନା ମେମୋରୀ ଚିପ୍ ବାବଦରେ ତଥ୍ୟ ପାଇ ଚୁପ୍ ରହିଛି କ୍ରାଇମବ୍ରାଞ୍ଚ । କାରଣ ଯଦି ତଥ୍ୟ ବାହାରକୁ ଆସିବ, ତେବେ କେହି ପ୍ରଭାବଶାଳୀ ଅଡୁଆରେ ପଡିବେ ।