ବେଙ୍ଗାଳୁରୁରେ ଗଣେଶ ପୂଜା ପାଳିଲା ଓଡିଆ ୟୁଥ କମିଟି: ଯୋଗଦେଲେ ୧୦ ହଜାରରୁ ଅଧିକ ପ୍ରବାସୀ ଓଡିଆ 

161

କନକ ବ୍ୟୁରୋ: ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଆ ୟୁଥ୍ କମିଟି, ବେଙ୍ଗାଲୁରୁ ତରଫରୁ  କୁନ୍ଦନାହାଲିଠାରେ ବଡ଼ ଧୁମ୍ ଧାମରେ ଗଣେଶ ପୂଜା ପାଳିତ ହୋଇ ଯାଇଛି । ଦୀର୍ଘ ଦୁଇ ବର୍ଷ ପରେ କୋରୋନା କଟକଣା କୋହଳ ହୋଇଥିବାରୁ ଏଥିରେ ୧୦୦୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇ ପୂଜା ଓ ପୁଷ୍ପାଞ୍ଜଳି ଦେବା ସହ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ବେଳେ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ଓଡ଼ିଶାରୁ ଆସିଥିବା ଅନେକ କଳାକାର ଯଥା ଶୈଳେନ୍ଦ୍ର ସାମନ୍ତରାୟ, ପାର୍ଥ ରାୟ, ଅନନ୍ୟା ମିଶ୍ର, ବୈଶାଳୀ, ପ୍ରଜ୍ଞା ହୋତା, ଆଶୁତୋଷ ମହାନ୍ତି, ଅବିନାଶ ଦାସ ଓ ରୋଜଲିନ ପଟ୍ଟନାୟକ ନିଜର ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ।

ବିଶେଷ ଭାବେ  ବିଶ୍ଵ ପ୍ରସିଦ୍ଧ ଓଡ଼ିଶାର ବହୁ ପୁରୁଣା ଛଉ ନୃତ୍ୟ ଦର୍ଶକମାନଙ୍କ ମନ ଜିଣି ନେଇଥିଲା । ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ପାଇଁ ପାଖାପାଖି ୫୦ରୁ ଅଧିକ ଷ୍ଟଲର ଆୟୋଜନ କରା ଯାଇଥିଲା । ହାଲର ସିଇଓ ମିହିର କାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଉଦଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଲେଖିକା ସୁଲଗ୍ନା ମହାନ୍ତି, ଓଡ଼ିଶାର ପ୍ରମୁଖ ବିଲଡର ସଂସ୍ଥା ଗ୍ରୁପ ଜିର ମାଲିକ ଆଶିଷ ଗର୍ଗ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମର ଟାଇଟଲ ସ୍ପୋନସର ଜି ଗ୍ରୁପ ଦ୍ଵାରା ୫୦୦୦୦ ମୂଲ୍ୟର ଲଟେରୀର ମଧ୍ୟ ଆୟୋଜନ କରା ଯାଇଥିଲା । ଓଡ଼ିଆ ୟୁଥ୍ କମିଟିର ପ୍ରତିଷ୍ଠାତା ମେମ୍ୱର ତଥା ଅଧ୍ୟକ୍ଷ ସଂଗ୍ରାମ ମହାପାତ୍ର ନିଜ ସ୍ୱାଗତ ଭାଷଣ ରେ କମିଟିର ପୂର୍ବ ପୋଗ୍ରାମ ବିଷୟରେ ଆଲୋଚନା କରିବା ସହ ପ୍ରବାସୀ ଓଡ଼ିଆମାନଙ୍କୁ ନିଜ ନିଜ ଭିତରେ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆହ୍ୱାନ ଦେଇଥିଲେ ।

କମିଟିର ଅନ୍ୟ ପ୍ରତିଷ୍ଠାତା ମେମ୍ବର୍ ଲକ୍ଷ୍ମୀ ନାରାୟଣ ମହାନ୍ତି, ଅରୁଣ ରାଉତରାୟ, ସୁଶାନ୍ତ ଷଡ଼ଙ୍ଗୀ, ସୌରଭ ସାହୁ, ଶୁଭକାନ୍ତ ରାଉତ, ରାଜେଶ ପତ୍ରୀ, ଦେବବ୍ରତ ହୋତା, କମଳାକର ସେନାପତି, ମାନସ ଦାସ, ସତ୍ୟ ଦାସ, ଦେବବ୍ରତ ଦାସ, ଅମରେଶ ନାୟକ, ଚିରଞ୍ଜିବୀ ସ୍ୱାଇଁ, ନିର୍ମାଣ ନନ୍ଦ ପ୍ରମୁଖ ତଥା ଶହେରୁ ଅଧିକ ସ୍ବେଚ୍ଛାସେବୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।