ଅଭିଯୁକ୍ତ ଚିତ୍ତରଞ୍ଜନ କହିଲା ଶୁଭଶ୍ରୀଙ୍କ ଆତ୍ମହତ୍ୟାର ପୂରା କାହାଣୀ। ପୋଲିସ ସମ୍ମୁଖରେ ଡେମୋ ଦେଖାଇଲା ସେଦିନ ଘଟିଥିଲା କଣ?

245

କନକ ବ୍ୟୁରୋ:  ଭୁବନେଶ୍ୱରର ବହୁ ଚର୍ଚ୍ଚିତ ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ପରେ କଣ ହୋଇଥିଲା? କେମିତି ଶୁଭଶ୍ରୀଙ୍କ ଝୁଲନ୍ତା ମୃତଦେହକୁ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ? ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଆଣିବା ପରେ କଣ କରିଥିଲେ? କେମିତି ଓଢ଼ଣି ଖୋଲିଥିଲେ ? ସେ ସବୁର ଦୃଶ୍ୟକୁ ପୋଲିସ ସମ୍ମୁଖରେ ଡେମୋ କରି ଦେଖାଇଥିଲେ ଚିତ୍ତରଞ୍ଜନ ଜେନା । ସିନ୍ ରିକ୍ରିଏସନ ସମୟର ସମସ୍ତ ଦୃଶ୍ୟକୁ ଭିଡିଓଗ୍ରାଫି କରିଛି ପୋଲିସ୍ । ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତ ଚିତ୍ତରଞ୍ଜନଙ୍କୁ ଶୁଭଶ୍ରୀ ରହୁଥିବା ଭଡା ଘରକୁ ନେଇଥିଲା ଖାରବେଳନଗର ପୋଲିସ ।

ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ପୋଲିସ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ କରିଛି । ଶୁଭଶ୍ରୀଙ୍କ ସ୍ୱାମୀ , ତାଙ୍କ ପୁଅର ଟ୍ୟୁସନ ଶିକ୍ଷୟତ୍ରୀଙ୍କ ବୟାନ, ପଡୋଶୀଙ୍କ ବୟାନ, ମୋବାଇଲ କଲ ଡିଟେଲ୍ସ ଓ ଚିତରଞ୍ଜନଙ୍କ ସ୍ୱୀକାରୋକ୍ତି ପରେ ପୋଲିସ ପୁରା ମାମଲାର ରହସ୍ୟ ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଥିଲା । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଆହୁରି ପଚରାଉଚୁରା କରିବ ପୋଲିିସ ।

ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ଶୁଭଶ୍ରୀଙ୍କ ଆତ୍ମହତ୍ୟା ମାମଲା ଯେତିକି ରୋଚକ ସେତିକି କୌତୁହଳପୂର୍ଣ୍ଣ । ସୂଚନା ଅନୁସାରେ ଶୁଭଶ୍ରୀ ୨୦୧୪ରେ ଭଲପାଇ ଅନନ୍ତ ନାରାୟଣ ନାଥଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୩ବର୍ଷର ପୁଅ ଅଛି । କିନ୍ତୁ ଏହା ଭିତରେ ୨୦୧୯ରେ ନୟାଗଡ ଇଟାଭାଟି ଅଞ୍ଚଳର ଚିତରଞ୍ଜନ ଜେନା ଓରଫ ବାବୁନାକୁ ଭଲ ପାଇ ବସିଥିଲେ । ଫୋନରେ ଘଣ୍ଟା ଘଣ୍ଟା ଧରି ଗପିବା ସହ ଚାଟିଂ ସେମାନଙ୍କ ସମ୍ପର୍କକୁ ପ୍ରେମ ଆଡକୁ ଟାଣି ନେଇଥିଲା । ଏହା ଜାଣିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ତାପରେ କ୍ଷମା ମାଗି ଆଉ ଚିତ୍ତ ସହ ମିଶିବେ ନାହିଁ ବୋଲି କହିଥିଲେ ଶୁଭଶ୍ରୀ । ହେଲେ ବଦଳିନଥିଲେ ଶୁଭଶ୍ରୀ ।

କିନ୍ତୁ ଏହା ଭିତରେ ଶୁଭଶ୍ରୀ ଅନନ୍ତଙ୍କ ଆଉ ଜଣେ ସାଙ୍ଗଙ୍କ ସହ ମିଳାମିଶା କରିବା ଚିତ୍ତ ଆଖିରେ ପଡିଥିଲା । ଯାହା ତାଙ୍କ ଦେହରେ ଯାଇନଥିଲା । ଆଉ ଗତ ୨୯ ତାରିଖରେ ଯେତେବେଳେ ସ୍ୱାମୀ ଗାଁକୁ ଚାଲିଯିବା ପରେ ତାଙ୍କ ସାଙ୍ଗ ସହ କୌଣସି କାରଣରୁ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ ଶୁଭଶ୍ରୀ । କୌଣସି ସୂତ୍ରରୁ ଖବର ପାଇ ଘରେ ପହଁଞ୍ଚିଥିଲା ଚିତ୍ତ । ସେହି ଯୁବକଙ୍କ ସହ କାହିଁକି ଯାଇଥିଲେ ବୋଲି ପଚାରି ଝଗଡା କରିବା ସହ ଗାଳିଗୁଲଜ କରିଥିଲେ । ଆଉ ତାଙ୍କୁ ସବୁଦିନ ପାଇଁ ଭୁଲିଯିବାକୁ କହି ଚାଲିଯାଇଥିଲେ । ୩୦ତାରିଖ ଦିନ ଶୁଭଶ୍ରୀ ତାଙ୍କୁ ୭ଥର କଲ୍ କରିଥିବା ବେଳେ ବାବୁନା କୌଣସି ସମ୍ପର୍କ ରଖିବାକୁ ମନାକରି ଫୋନ୍ କାଟିଦେଇଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ ।