ଛୋଟ ପିଲାଙ୍କ ନାମଲେଖା ନେଇ ବୟସ ସୀମା ପରିବର୍ତ୍ତନ କଲେ କେନ୍ଦ୍ର ସରକାର । ଅନ୍ୟୁନ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ କରିବାକୁ ଉଲ୍ଲେଖ

277

କନକ ବ୍ୟୁରୋ: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ହେଲେ ପିଲାଙ୍କ ବୟସ ଅତିକମରେ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ । ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି ସେମାନେ ଏହି ନିୟମ ଲାଗୁହେବ । ତେବେ ଯେଉଁ ରାଜ୍ୟମାନେ ଏହାକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।

ନୂଆ ଜାତୀୟ ଶିକ୍ଷା ନୀତି ବା ଏନଇପି ଅନୁଯାୟୀ, ମୂଳ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ୫ ବର୍ଷର ଶିକ୍ଷଣ ସୁଯୋଗ ୩ରୁ ୮ ବର୍ଷ ମଧ୍ୟରେ ରହିଛି । ଯେଉଁଥିରେ ତିନି ବର୍ଷର ପ୍ରାକ୍-ସ୍କୁଲ ଶିକ୍ଷା ଏବଂ ଏହାପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅନ୍ତର୍ଭୁକ୍ତ । ତେଣୁ ଏହି ନୀତି ପ୍ରି-ସ୍କୁଲରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିରବଚ୍ଛିନ୍ନ ଶିକ୍ଷଣ ଓ ବିକାଶକୁ ପ୍ରୋତ୍ସାହିତ କରୁଛି । ଅଙ୍ଗନୱାଡ଼ି କିମ୍ବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ଦ୍ୱାରା ପରିଚାଳିତ ପ୍ରି-ସ୍କୁଲ ସେଂଟରରେ ପଢୁଥିବା ସମସ୍ତ ପିଲାଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପଲବ୍ଧ କରାଇବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଶିକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି । ସେହିପରି ପିଲାଙ୍କ ମାନସିକତା ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଖୁବ୍ କମ୍ ବୟସରୁ ସ୍କୁଲକୁ ପଠାଇବା ଅନୁଚିତ ବୋଲି ଗତବର୍ଷ ସୁପ୍ରିମକୋର୍ଟ ମଧ୍ୟ କହିଥିଲେ ।