ପକ୍କାଘର ମିଳିନି କିନ୍ତୁ ମରାମତି ପାଇଁ ସହାୟତା ଟଙ୍କା ମିଳିଛି: ସାମ୍ନାକୁ ଆସିଲା ଆବାସ ଟଙ୍କା ହଡପ ଘଟଣା

224

କନକ ବ୍ୟୁରୋ: ପକ୍କା ଘର ମିଳିନି କିନ୍ତୁ ଘର ମରାମତି କରିବା ପାଇଁ ଟଙ୍କା ଆସିଛି । ପକ୍କା ଘର କରିନଥିବା ଲୋକଙ୍କୁ ଆସିଛି ଘର ମରାମତି ଟଙ୍କା । ଏଥିରୁ ଅନୁମାନ କରାଯାଉଛି, ଲୋକଙ୍କୁ ପକ୍କା ଘର ମିଳି ନଥିବା ବେଳେ ସରକାରୀ କାଗଜ ପତ୍ରରେ ଘର ଯୋଗାଇ ଦିଆଯାଇଥିବା ଦର୍ଶା ଯାଇଛି । ଘର ମରାମତି ସହାୟତ ପୋଷ୍ଟର ଘର କାନ୍ଥରେ ମରାଯିବା ପରେ ପଦାକୁ ଆସିଲା ଆବାସ ଦୁର୍ନିତିର ସତ ।

ଗଞ୍ଜାମ ବେଗୁନିଆପଡା ବ୍ଲକ ପି.ନୂଆ ଗାଁର ରାମ ଦାସଙ୍କ ଘର କାନ୍ଥରେ ଲାଗିଛି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏହି ପୋଷ୍ଟର । ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି । ହେଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ରାମଙ୍କୁ ପକ୍କାଘର ମିଳିନାହିଁ । କିନ୍ତୁ ପକ୍କା ଘର ତାଲିକାରେ ରାମ ଦାସଙ୍କୁ ୨୦୦୭-୦୮ରେ ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଥିବା ଦର୍ଶା ଯାଇଛି । ସେହିଭଳି ପି.ନୂଆ ଗାଁର ଜୟନ୍ତି ଦାସ, ସ୍ୱାମୀ ରମେଶ ଦାସଙ୍କୁ ୨୦୧୨-୧୩ରେ ପକ୍କା ଘର ଦିଆଯାଇଥିବା ଦର୍ଶାଇ, ତାଙ୍କୁ ବି ଘର ମରାମତି ସହାୟତା ମିଳିଛି । ଦାଦନ ଶ୍ରମିକ ଭାବେ କାମ କରୁଥିବା ରମେଶଙ୍କ ପରିବାର ଟିଣ ଛପର ଘରେ ରହୁଥିବା ବେଳେ ତାଙ୍କ କାନ୍ଥରେ ବି ପୋଷ୍ଟର ଲାଗିଛି ।

ବୁରୁଝରୀ ପଂଚାୟତର ଅନ୍ୟ ଗାଁରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରକୃତରେ ଲୋକଙ୍କୁ ପକ୍କା ଘର ମିଳିନଥିବା ବେଳେ ସରକାରୀ କାଗଜ ପତ୍ରରେ ଘର ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି । ତେଣୁ ଏହାର ନିରପେକ୍ଷ ତଦନ୍ତ ହେଲେ ଆବସ ଟଙ୍କା ହଡପ’ର ସତ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍କା ଘର ମରାମତି ସହାୟତା ପ୍ରଦାନ ପରେ ପଦାରେ ପଡିଛି ଆବାସ ଯୋଜନର ଦୁର୍ନିତିର ଗୁମର ।