ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଶାନ୍ତ କିଶୋରଙ୍କ ବଡ ବୟାନ : କହିଲେ ବିଜେପି ସହ ମିଶିବାକୁ ବ୍ୟାକୁଳ ନୀତୀଶ

107

କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଚାଲିଥିବା ବିବାଦ ପୁଣି ବଢିବାରେ ଲାଗିଛି । ନୀତୀଶ କୁମାର ବିଜେପିଠୁ ଅଲଗା ହୋଇ ଆରଜେଡି ସହ ମିଶି ସରକାର ଗଠନ କରିଥିଲେ । କିନ୍ତୁ ଏବେବି ନୀତୀଶ ବିଜେପି ସହ ଯୋଗାଯୋଗରେ ଥିବା କହିଛନ୍ତି ପ୍ରଶାନ୍ତ କିଶୋର । ବିଜେପି ସହ ପୁଣି ଥରେ ହାତ ମିଲାଇବାକୁ ନୀତୀଶ ବ୍ୟାକୁଳ ଅଛନ୍ତି । ଯଦି ସେମିତି ପରିସ୍ଥିତି ଉପୁଜିବ ତେବେ ପୁଣି ସେ ବିଜେପି ସହ ହାତ ମିଳାଇବେ ବୋଲି ପ୍ରଶାନ୍ତ କହିଛନ୍ତିି ।

ନୀତୀଶ ସକ୍ରୀୟ ଭାବେ ଜାତୀୟ ସ୍ତରରେ ମେଂଟ ଗଠନ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଯେଉଁମାନେ ଭାବୁଛନ୍ତି ତାହା ଭୁଲ । ସେ ଦଳର ସାଂସଦ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ମାଧ୍ୟମରେ ବିଜେପି ସହ ସମ୍ପର୍କରେ ରହିବା ସହ ସାଲିସ ପାଇଁ ଉଦ୍ୟମ କରୁଥିବା କହିଛନ୍ତି ପ୍ରଶାନ୍ତ । ଜେଡିୟୁ, ବିଜେପି ସମ୍ପର୍କ ଛିନ୍ନ ହୋଇଥିଲେ ବି ଏହି କାରଣ ପାଇଁ ହରିବଂଶଙ୍କୁ ରାଜ୍ୟସଭାର ଇସ୍ତଫା ଦେବାକୁ କୁହାଯାଇନାହିଁ ବୋଲି ସେ କହିଛନ୍ତି । ଯାହା ଉପରେ ନୀତୀଶ କୁମାର ଅବା ଜେଡିୟୁ ପକ୍ଷରୁ କୌଣସି ପ୍ରତ୍ରିକ୍ରିୟା ଆସିନାହିଁ ।