୨୪ ବର୍ଷ ପରେ କଂଗ୍ରେସ ପାଇଲା ଅଣଗାନ୍ଧୀ ସଭାପତି : ଅକ୍ଟୋବର ୨୬ରେ ନେବେ ଶପଥ; ଆଜି ସୋନିଆ ଗାନ୍ଧୀଙ୍କୁ ଭେଟି କରିବେ ଆଲୋଚନା

111

କନକ ବ୍ୟୁରୋ : ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଳିଛି ନୂଆ ସେନାପତି । ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱ ଅଣଗାନ୍ଧୀ ପରିବାର ହାତକୁ ଯାଇଛି । କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ ଦେଇ ନିଜ ନାମରେ ଏହି ପଦ କରିପାରିଛନ୍ତି । ତେବେ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଖଡଗେ ସଭାପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଆଜି ଖଡଗେ ସୋନିଆ ଗାନ୍ଧୀଙ୍କୁ ଭେଟି ଦଳର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତ ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଆଉ ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ହାତ ରହିଥିବାରୁ ସେ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା । ଆଉ କଂଗ୍ରେସର ନୂଆ ସଭାପତି ହେବା ପରେ ଦଳରେ ରାହୁଲଙ୍କ ଭୂମିକା କଣ ରହିବ ? ଏନେଇ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସର ତାଙ୍କର ଭୂମିକା କଣ ହେବ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ଥିର ହେବ । ତେବେ ଖଡଗେଙ୍କ ଆଗରେ ବିଶାଳ ଚାଲେଞ୍ଜ ରହିଛି ।

ସେ ଏପରି ସମୟରେ ଦଳର ମଙ୍ଗ ଧରିଛନ୍ତି, ଯେତେବେଳେ ଦଳ ନିଜ ଅସ୍ତିତ୍ୱ ପାଇଁ ଲଢେଇ କରୁଛି । ଦଳକୁ ବିପର୍ଯ୍ୟୟରୁ ବାହାର କରିବା, ଲୋକଙ୍କ ନିକଟତର ହୋଇ ଆସ୍ଥା ଜିଣିବା, ଦଳର ପୁରୁଣା ଗୌରବ ଫେରାଇ ଆଣିବା ଭଳି ଗୁରୁ ଦାୟିତ୍ୱ ଏବେ ଖଡଗେଙ୍କ କାନ୍ଧରେ ପଡିଛି । ସାଧାରଣ ନିର୍ବାଚନକୁ ଦୁଇ ବର୍ଷରୁ କମ ସମୟ ଥିବାରୁ ଖଡଗେଙ୍କ ପାଇଁ ଆଗକୁ ଅଗ୍ନିପରୀକ୍ଷା ରହିଛି । ଏଥିସହ ନୂଆ ସଭାପତି ଭାବେ ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଂଟ୍ରୋଲରେ ପରିଚାଳିତ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।