ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ କିଏ କହୁଛି ସତ? ସଂସଦରେ ଅପରାଜିତାଙ୍କ ସହ ମୁହାଁମୁହିଁ ପରେ ପୁରୀ ସାଂସଦ ପିନାକୀ ମିଶ୍ର ଦେଲେ ସ୍ପଷ୍ଟୀକରଣ

147

କନକ ବ୍ୟୁରୋ: ସଂସଦରେ ପୁରୀ ଐତିହ୍ୟ କରିଡର ପ୍ରସଙ୍ଗ ଉଠିବା ପରେ କିଏ କହୁଛି ସତ ତାକୁ ନେଇ ଚର୍ଚ୍ଚା । ପିନାକୀ ମିଶ୍ର ସଂସଦରେ ଭୁଲ ତଥ୍ୟ ଦେଇଥିବା ନେଇ କିଛି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ନିଜେ ପୁରୀ ସାଂସଦ । ଏଏସଆଇ ଓ ଏନଏମଏର ଅନୁମୋଦନ କ୍ରମେ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି ।

  • କିଏ କହୁଛି ସତ?
  • ଅପରାଜିତା ନା ପିନାକୀ?

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ସଂସଦରେ ପହଁଚିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସତ କହୁଛନ୍ତି କି ପୁରୀ ସାଂସଦ ପିନାକୀ ମିଶ୍ର ସତ କହୁଛନ୍ତି, ଏ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ପିନାକୀ ମିଶ୍ର କହିଛନ୍ତି, ସେ ସଂସଦରେ ମିଛ କହିଛନ୍ତି ବୋଲି କିଛି ଗଣମାଧ୍ୟମ କହୁଛନ୍ତି, ଯାହା ସଂପୂର୍ଣ୍ଣ ଭୁଲ । ଯଦି ସତସାହାସ ଅଛି, ତେବେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରନ୍ତୁ, ସେ ତାର ଉଚିତ ଜବାବ ରଖିବେ ବୋଲି କହିଛନ୍ତି ପିନାକୀ ।

ସଂସଦରେ ଭୁଲ ତଥ୍ୟ ଦେଇଥିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପୁରୀ ସାଂସଦ । ସେ କହିଛନ୍ତି, ଏଏସଆଇ ଓ ଏନଏମଏର ଅନୁମୋଦନ କ୍ରମେ କାର୍ଯ୍ୟ ଚାଲିଛି ।

  • ନିର୍ମାଣ କାର୍ଯ୍ୟ ଏଏସଆଇ ଏନଓସି ଆଧାରରେ ହେଉଛି
  • କ୍ଳୋକ୍ ରୁମ୍, ମିନି କ୍ଳୋକ୍ ରୁମ୍, ମହିଳା ଓ ପୁରୁଷ ଟଏଲେଟ, ସେବାୟତ ଟଏଲେଟ, ଇଲେକ୍ଟ୍ରିକାଲ୍ ରୁମ ଆଦି ନିର୍ମାଣ ହେଉଛି
  • ମାର୍ଚ୍ଚ ମାସରେ ଏଏସଆଇ ଡିଜି ମଧ୍ୟ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତି କରଣ କାର୍ଯ୍ୟକୁ ବିରୋଧ କରି ଗୁରୁବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ସେ ପ୍ରଶ୍ନ କରିଥିଲେ

  • ଉନ୍ନତିକରଣ ପାଇଁ ଗଠିତ କରାମର୍ଶ କମିଟୀରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେର କୌଣସି ସଦସ୍ୟଙ୍କୁ ନିଆଯାଇନାହିଁ
  • ନିର୍ମାଣ ପରବର୍ତ୍ତୀ ପ୍ରଭାବ ଉପରେ ବିଶ୍ଳେଷଣ କରାଯାଇନାହିଁ
  • ଭୂତଳ ସ୍ଥିତି ଜାଣିବା ପାଇଁ ଜିପିଆର ସର୍ଭେ ମଧ୍ୟ କରାଯାଇନାହିଁ

ଗୋଟିଏ ପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି, ଅନ୍ୟପଟେ ଦୁଇ ଦଳର ସାଂସଦଙ୍କ ମଧ୍ୟରେ କଥା କଟାକାଟି ଚାଲିଛି । ଯଦି ନିୟମ ଅନୁସାରେ ସବୁ କାର୍ଯ୍ୟ ଚାଲିନି, ତେବେ ଏହାର ତଦାରଖ କରିବା ଦାୟିତ୍ୱ କାହାର? କାହିଁକି ଏହି ଦାୟିତ୍ୱ ତୁଲାଉନାହିଁ ଏଏସଆଇ?