ବିଶ୍ୱକପରେ ଆଜି ବଡ ଲଢେଇ । ପାକିସ୍ତାନକୁ ଭେଟିବ ନ୍ୟୁଜିଲାଣ୍ଡ, ପାକ୍ ପାଇଁ ‘କର ବା ମର’ ସ୍ଥିତି ।

125

କନକ ବ୍ୟୁରୋ : ଆଜି ବିଶ୍ୱକପ୍ କ୍ରିକେଟରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ୍ । ବିଶ୍ୱକପର ୩୩ ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ବର୍ମିଂହାମରେ ଖେଳାଯିବ ଏହି ମ୍ୟାଚ । ତେବେ ଏହି ମ୍ୟାଚର ଫଳାଫଳ ଚଳିତ ବିଶ୍ୱକପରେ ପାକିସ୍ତାନର ଭାଗ୍ୟ ନିର୍ଣ୍ଣୟ କରିବ । ବିଶ୍ୱକପରେ ୬ ଟି ମ୍ୟାଚରୁ ୫ ବିଜୟ ଓ ଗୋଟିଏ ବାତିଲ ମ୍ୟାଚ ସହ ଏବେ ୧୧ ପଏଂଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ ।

ବର୍ତମାନ ସୁଦ୍ଧା ଏହି କିୱି ଟିମ୍ ବିଶ୍ୱକପ୍ ମୁକାବିଲାରେ ଅପରାଜେୟ ରହିଛି । ଅନ୍ୟପଟେ ପାକିସ୍ତାନ ସମାନ ୬ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୫ ପଏଂଟ ହାସଲ କରିଛି । ତେବେ ବିଶ୍ୱକପରେ କୌଣସି ସମୟରେ ଖେଳର ମୋଡ ବଦଳାଇବାକୁ ଏହି ଦଳ ନିକଟରେ କ୍ଷମତା ରହିଛି । ବିଶ୍ୱକପରେ ଇଂଲଣ୍ଡ ପରି ବଡ ଦଳକୁ ପାକିସ୍ତାନ ପରାସ୍ତ କରିସାରିଛି । ତେଣୁ ନ୍ୟୁଜିଲାଣ୍ଡ ପରି ଶକ୍ତିଶାଳୀ ଟିମ୍ ବିପକ୍ଷରେ ଦଳ କିଛି ବି କରିପାରେ ।

କହିବାକୁ ଗଲେ ଏହି ମ୍ୟାଚ୍ ଫଳାଫଳ ଏବେ ପାକିସ୍ତାନ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ମ୍ୟାଚ୍ ହାରିଲେ ପାକିସ୍ତାନ ବିଶ୍ୱକପରୁ ଏକ ପ୍ରକାର ବିଦା ହେବା ଥୟ । ଏପଟେ ରେକର୍ଡକୁ ଦେଖିବାକୁ ଗଲେ ରେକର୍ଡ କହୁଛି ବିଶ୍ୱକପ୍ ମୁକାବିଲାରେ ଏହି ଦୁଇ ଦେଶ ଏଯାଏଁ ୮ଟି ମ୍ୟାଚ ଖେଳିଛନ୍ତି । ଏଥିରୁ ୨ଟି ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଥିବା ବେଳେ ୬ଟିରେ ବାଜିମାତ୍ କରିଛି ପାକିସ୍ତାନ । ବିଶ୍ୱକପ୍ ରେକର୍ଡ ପାକିସ୍ତାନ୍ ସପକ୍ଷରେ ରହିଥିବା ବେଳେ, ଚଳିତ ବିଶ୍ୱକପରେ ପ୍ରଦର୍ଶନ ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି । ତେଣୁ ଆଜି ବର୍ମିଂହାମରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।