ସୁନା ଆଣିଲେ ସୁନାପୁଅ । ଜାଭେଲିନ୍ ଥ୍ରୋରେ ସମସ୍ତଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ୧୦୦ ବର୍ଷର ପ୍ରତୀକ୍ଷାର ହେଲା ଅନ୍ତ

213

କନକ ବ୍ୟୁରୋ: ଅଲିମ୍ପିକ୍ସରେ ଭାରତକୁ ଏମିତି ଏକ ସଫଳତା ମିଳିଛି, ଯାହା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇରହିବ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ପାଇଛନ୍ତି ନୀରଜ ଚୋପ୍ରା । ୧୦୦ ବର୍ଷ ଧରି ଭାରତର ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିଛନ୍ତି ହରିୟାଣା ପାନିପଥ ନିକଟ ଖଣ୍ଡ୍ରା ଗାଁର ଜଣେ ଚାଷୀଙ୍କ ପୁଅ । ମାତ୍ର ୨୩ ବର୍ଷରେ ଇତିହାସ ରଚିଛନ୍ତି ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ।

ଜାଭେଲିନ୍ ଥ୍ରୋ ଫାଇନାଲର ଦ୍ୱିତୀୟ ରାଉଣ୍ଡରେ ୮୭.୫୮ ମିଟର ଜେଭେଲିନ୍ ଫିଙ୍ଗି ଏହି ସଫଳତା ହାସଲ କରିଛନ୍ତି ଭାରତର ଏହି ସୁନା ପୁଅ । ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ନୀରଜଙ୍କୁ ୬ କୋଟି ଟଙ୍କା, ପଂଚକୁଲାରେ ବଙ୍ଗଳା ଓ କ୍ଲାସ ୱାନ୍ ଅଫିସର ଚାକିରି ଦେବାକୁ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ । ନୀରଜଙ୍କ ସଫଳତା ପରେ ପରେ ସାରା ଦେଶରୁ ଶୁଭେଚ୍ଛା ସୁଅ ଛୁଟିଛି । ବାଜା ବଜାଇ, ବାଣ ଫୁଟାଇ, ମିଠା ବାଂଟି ଖୁସ ମନାଉଛନ୍ତି ଦେଶବାସୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ନୀରଜଙ୍କ ଏହି ସଫଳତା ସବୁ ଦିନ ପାଇଁ ମନେ ରହିବ ।

୨୦୦୮ରେ ଅଭିନବ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ନୀରଜ ସ୍ୱର୍ଣ୍ଣ ଜିତିବା ପରେ ଅଲିମ୍ପିକ୍ସରେ ଭାରତର ନୂଆ ଯୁଗ ଆରମ୍ଭ ହୋଇଛି । ଟୋକିଓ ଅଭିଯାନ ରୂପାରେ ଆରମ୍ଭ ହୋଇ ସୁନାରେ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ଭାରତ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସମର୍ଥ ହୋଇଛି । ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ ୭ଟି ପଦକ ହାସଲ କରିଛି ଭାରତ ।

ନୀରଜଙ୍କ ଏହି ସଫଳତା ପଛରେ ତାଙ୍କର ଓଡ଼ିଶା ଲିଙ୍କକୁ ସାମନାକୁ ଆଣିଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା । କହିଛନ୍ତି ୨୦୧୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିଥିଲେ ନୀରଜ । ଆଉ ପରବର୍ତି ସମୟରେ ଓଡ଼ିଶାର ଏହି ଅଭ୍ୟାସ ତାଙ୍କ ସଫଳତାର ଅଂଶ ହୋଇଛି ।