କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ : ଦୌପଦୀ ମୁର୍ମୁଙ୍କ କଠିନ ଜୀବନ ଯାତ୍ରା

159

କନକ ବ୍ୟୁରୋ : ଦୌପଦୀ ମୁର୍ମୁଙ୍କ କଠିନ ଜୀବନ ଯାତ୍ରା । ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା। ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍‌ କରିଥିଲେ ।

ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେ‌ତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ।

ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା । ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍‌ ଆଦୌ ଯାଉ ନ ଥିଲେ । କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା । ସେ ସମୟରେ ରବି ଟକିଜ୍‌ ଗୋଟିଏ ମାତ୍ର ସିନେମା ହଲ୍‌ ରହିଥିଲା । ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ ।

ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଅନେକ ଘାତପ୍ରତିଘାତ ଆସିଛି । ପ୍ରଥମେ ସେ ସ୍ୱାମୀଙ୍କୁ ହରାଇଥିଲେ । ଆଉ ପରେ ଦୁଇପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସ୍ୱାମୀ ଓ ପୁଅଙ୍କୁ ହରାଇବା ପରେ ବି ଭାଙ୍ଗିପଡିନଥିଲେ ଏହି ଦୃଢମନା ମହିଳା । ଏକାମାତ୍ର ଝିଅ ସହ ସଂଘର୍ଷ ଜରି ରଖି ଆଗକୁ ବଢିଚାଲିଥିଲେ ।

-୧୯୯୭ରେ ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ରାଇରଙ୍ଗପୁରର କାଉଁନସିଲର ଭାବେ ନିର୍ବାଚିତ ହେବା ସହ ରାଇରଙ୍ଗପୁର ଉପାଧ୍ୟକ୍ଷ ହୋଇଥିଲେ ।
-୨୦୦୦ ମସିହାରେ ସେ ରାଇରଙ୍ଗପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
-୨୦୦୨ରେ ସେ ପରିବହନ ଏବଂ ବାଣିଜ୍ୟ ବିଭାଗର ମନ୍ତ୍ରୀ ଥିଲେ
-ପରେ ତାଙ୍କୁ ମତ୍ସ୍ର ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ ଦିଆଯାଇଥିଲା ଏବଂ ୨୦୦୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ
-୨୦୦୨ରୁୁ ୨୦୦୯ ଯାଏ ଶ୍ରୀମତୀ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ଥିଲେ
-୨୦୦୪ରେ ସେ ପୁଣି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
-୨୦୦୬ରୁ ୨୦୦୯ ଯାଏ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ ବିଜେପିଅନୂସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ହୋଇଥିଲେ
-୨୦୧୦ ସେ ପୁଣି ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ
-୨୦୧୩ ସେ ତୃତୀୟ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ ଏବଂ ୨୦୧୫ ଯାଏ ରହିଥିଲେ
-୨୦୧୫ରେ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର ରାଜପାଳ ହୋଇଥିଲେ
-୨୦୨୨ରେ ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦୌପଦୀ ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ସେ ରାଜ୍ୟପାଳ ଥିବା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିଲେ । ସେ ରାଜ୍ୟପାଳ ଥିବା ସମୟରେ ୩୦୦ରୁ ଅଧିକ ବାଳିକା ବିଦ୍ୟାଳୟ, ଘରୋଇ ସ୍କୁଲ ମଧ୍ୟ ବୁଲିଥିଲେ । ଶିକ୍ଷା ବ୍ୟବସ୍ଥାରେ କଣ କମି ରହିଛି ତାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ସେ ରବର ଷ୍ଟାମ୍ପ ନ ଥିଲେ ସେ ଥିଲେ ଲୋକଙ୍କ ରାଜ୍ୟପାଳ ।

ପରେ ସେ ପୁଣି ଆସି ବିଜେପିରେ ଯୋଗଦେଇଥିଲେ । କାଉଁନସିଲରୁ ରାଜ୍ୟପାଳ ହୋଇଥିବା ଦୌପଦୀ ମୁର୍ମୁଙ୍କ କୌଣସି ବଡ ରାଜନୈତିକ ପଦବୀ ପାଇଁ ଅଶା କିମ୍ବା ଅଭିଳାସ ନ ଥିଲା । ଦଳ ପ୍ରତି ସବୁବେଳେ ନିଷ୍ଠାପର ରହି ଜଣେ କର୍ମୀ ଭାବେ କାର୍ଯ୍ୟ କରିବାକୁ ଲକ୍ଷ ରହିଥିଲେ । ଯଦି ତାଙ୍କ ପାଖରେ ସେପରି କିଛି ଗୁଣ ଥିବ ଦଳ ତାଙ୍କୁ ସୁଯୋଗ ଦେବ ବୋଲି ସେ କହିଥିଲେ । ଆଉ ଆଜି ତାଙ୍କୁ ମିଳିଛି ନିଷ୍ଠାର ଫଳ ।