ଦେଶର ପଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବେ ଦୌପଦୀ ମୁର୍ମୁ : ସଂଖ୍ୟା ଗଣିତରେ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ବେଶ ଆଗରେ ଏନଡିଏ

271

କନକ ବ୍ୟୁରୋ : ଓଡ଼ିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି । ସମସ୍ତଙ୍କୁ ଚକିତ କରି ମୟୁରଭଞ୍ଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ନିର୍ବାଚିତ ହେଲେ ଦ୍ରୌପଦୀ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ବିତୀୟ ମହିଳା ରାଷ୍ଟ୍ରପତି। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ଏପଟେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବି ଲାଗି ଓଡ଼ିଶାର ଆଦିବାସୀ ନେତ୍ରୀ ଶ୍ରୀମତ୍ରୀ ମୁର୍ମୁଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି ।

ଏଭଳି ନିଷ୍ପତ୍ତି ନେଇ ବିଜେପି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ପୂର୍ବ ଭାରତ ଅଭିଯାନ ଏବଂ ଓଡ଼ିଶା ସଂପର୍କରେ ତାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଦଳ ଏକାସାଙ୍ଗରେ ଆଦିବାସୀ ଓ ମହିଳା କାର୍ଡ ଖେଳିଛି ଏବଂ ଓଡ଼ିଶାର ଶାସକ ବିଜୁ ଜନତା ଦଳ ସମେତ ସବୁ ଆଦିବାସୀ ବହୁଳ ରାଜ୍ୟକୁ ସମର୍ଥନ କରିବା ଲାଗି ଏକପ୍ରକାର ଚାପରେ ରଖିଛି । ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ସହିତ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବ ନେଇ ଆଲୋଚନା କରିଥିଲେ ଓ ଏହା ଓଡ଼ିଶା ପାଇଁ ସବୁଠାରୁ ଗୌରବର ମୁହୂର୍ତ୍ତ । ଅର୍ଥାତ୍ ବିଜେଡି ଯେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବ, ଏକଥା ସ୍ପଷ୍ଟ ହୋଇଯାଇଛି । ଆସନ୍ତା ୨୫ ତାରିଖରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ।

ରାଷ୍ଟ୍ରପତି ନିର୍ବାଚନର ଗଣିତ : –

ରାଜ୍ୟସଭା – ୨୩୩ ସଦସ୍ୟ
ଲୋକସଭା – ୫୪୩ ସଦସ୍ୟ
ଦେଶରେ ମୋଟ ବିଧାୟକ- ୪ ହଜାର ୩୩୩

ବିଧାୟକଙ୍କ ଭୋଟର ମୂଲ୍ୟ ରାଜ୍ୟ ଅନୁସାରେ ଅଲଗା ଅଲଗା

ଲୋକସଭା ସାଂସଦଙ୍କ ଭୋଟର ମୂଲ୍ୟ- ୭୦୦
ରାଜ୍ୟସଭା ସାଂସଦଙ୍କ ଭୋଟର ମୂଲ୍ୟ- ୭୦୦
୭୭୬ ସାଂସଦଙ୍କ ଭୋଟର ମୂଲ୍ୟ- ୫ ଲକ୍ଷ ୪୩ ହଜାର ୨୦୦
୪୦୩୩ ବିଧାୟକଙ୍କ ଭୋଟର ମୂଲ୍ୟ- ୫ଲକ୍ଷ ୪୩ ହଜାର ୨୩୧

ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟର ମୂଲ୍ୟ- ୧୦, ୮୬, ୪୩୧
ବିଜୟ ପାଇଁ ଆବଶ୍ୟକ ଭୋଟ ୫,୪୩, ୨୧୬
ଏନଡିଏ ପାଖରେ ଅଛି- ୫,୨୫,୭୦୬
ଜିତିବା ପାଇଁ ଏନଡିଏକୁ ଦରକାର – ୧୭,୫୧୦
ବିଜେଡି ପାଖରେ ଅଛି – ୩୧,୬୮୬
ୱାଏସଆର କଂଗ୍ରେସ ଅଛି -୪୩,୪୫୦