ଗତକାଲି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା : ଆଜି ମନ୍ଦିର ଯାଇ ଠାକୁର ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ ; ମନ୍ଦିର ବେଢାରେ ଝାଡୁ ମାରି ସଫା କଲେ

163

କନକ ବ୍ୟୁରୋ : ଓଡିଶାରୁ ହେବେ ପ୍ରଥମ ରାଷ୍ଟ୍ରପତି । ସମସ୍ତଙ୍କୁ ଚକିତ କରି ମୟୁରଭଞ୍ଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ବିଜେଡିର ସମର୍ଥନ ମିଳିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ନିଶ୍ଚିତ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ସକାଳୁ ସକାଳୁ ରାଇରଙ୍ଗପୁରର ମନ୍ଦିର ଯାଇ ଠାକୁର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ଗୋଟିଏ ମନ୍ଦିରରେ ସଫେଇ ବି କରିଛନ୍ତି । ଆଜି ସେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛିି । ଏହାପରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବା ସମ୍ଭାବନା ଅଛି । ଗତକାଲି ସଂସଦୀୟ ବୋର୍ଡ ବୈଠକ ପରେ ଦ୍ରୌପଦୀଙ୍କ ନାଁକୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଦ୍ରୌପଦୀ ମୁର୍ମୁ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଆଦିବାସୀ ଚେହେରା । ଯିଏ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ଥିଲେ । ୨୦୦୦ରେ ବିଧାୟିକା ଭାବେ ରାୟରଂଗପୁରରୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ନବୀନଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛି ବିଜେପି ନେତୃତ୍ୱାଧିନ ଏନଡିଏ । ଆଦିବାସୀ ଅଧୁଷିତ ଅଂଚଳର ଛୋଟିଆ ଗାଁରେ, ଅଭାବ ଅସୁବିଧାରେ ବଢ଼ିଥିବା ଦୌପଦୀଙ୍କୁ ପ୍ରାର୍ଥୀ କରି ବଡ ବାର୍ତା ଦେବାକୁ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏବେ ଦୌପଦୀ ମୁର୍ମୁଙ୍କ ଟକ୍କର ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସହ ହେବ । ଯଶୋବନ୍ତଙ୍କୁ ଗତକାଲି ସନ୍ଧ୍ୟାରେ ବିରୋଧୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଦ୍ରୌପଦୀ ଆସନ୍ତା ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ।