ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ଉଦବୋଧନ: କହିଲେ, ୫ ବର୍ଷ ମଧ୍ୟରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ

144

କନକ ବ୍ୟୁରୋ: ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ଦେଇ ସେ ଓଡିଶାବାସୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଓଡିଶାବାସୀଙ୍କ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି । ଓଡିଶାରେ ଆଗାମୀ ୫ ବର୍ଷରେ ଗରିବୀ ୧୦ ପ୍ରତିଶତ ହ୍ରାସ କରିବୁ ।

ନବୀନ କହିଛନ୍ତି କି, ପଚିଶ ବର୍ଷ ଆଗରୁ ବିଜୁ ବାବୁଙ୍କ ଆଦର୍ଶରେ ଆରମ୍ଭ ହୋଇଥିବା ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇଯାଇଛି  । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଦିନକୁ ଦିନ ବଢ଼ି ଚାଲିଛି । ବିଜୁ ଜନତା ଦଳ ହେଉଛି ଦେଶର ଏକମାତ୍ର ଦଳ, ଯାହାର ଲୋକପ୍ରିୟତା ପ୍ରତି ବର୍ଷ ବଢ଼ିଚାଲିଛି  । ଏଥିପାଇଁ ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ ତ୍ୟାଗ, ପରିଶ୍ରମ ଓ ନିଷ୍ଠାକୁ ମୁଁ ସମ୍ମାନ ଜଣାଉଛି  ।

ସେ ଆହୁରି ମଧ୍ୟ କହିଛନ୍ତି କି, ଆପଣମାନେ ହେଉଛନ୍ତି ଆମ ଦଳର ମେରୁଦଣ୍ଡ  । ୨୦୦୦ ମସିହାର ଓଡ଼ିଶା, ଓ ଆଜିର ଓଡ଼ିଶା ଭିତରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି । ଗରିବୀ କମ କରିବାରେ ଆମ ରାଜ୍ୟ ସାରା ଦେଶରେ ଆଗରେ ରହିଛି । ଓଡ଼ିଶାରେ ଗରିବୀ ୬୩%ରୁ ୨୯%କୁ କମିଛି  । ଅଶି ଲକ୍ଷ ଲୋକ ଗରିବି ରେଖା ଉପରକୁ ଆସିଛନ୍ତି  । ଆଗାମୀ ୫ ବର୍ଷ ମଧ୍ୟରେ ଆପଣମାନଙ୍କ ସହଯୋଗରେ ଗରିବିକୁ ୧୦%କୁ କମ କରି ଓଡ଼ିଶା ଇତିହାସ ସୃଷ୍ଟି କରିବ । ଏଥି ପାଇଁ ଯାହା ଦରକାର ଆମ ସରକାର ସେ ସବୁ ପଦକ୍ଷେପ ନେବ  ।