ସରକାରୀ ନିର୍ଦ୍ଧାରିତ MSP ଠାରୁ ଅଧିକ ଦାମରେ କପା ବିକିଲେ ଚାଷୀ । ମଣ୍ଡିରେ କମ୍ ଦାମ ଯୋଗୁଁ ବାହାରେ ବିକିବାକୁ ହେଉଛନ୍ତି ବାଧ୍ୟ ।

113

କନକ ବ୍ୟୁରୋ : କପା ଚାଷ କରି ଚାଷୀ ଏବେ ହରଡଘଣରେ । ଅମଳ କପାକୁ ଚାଷୀ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । ମଣ୍ଡିରେ କପାର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଖୋଲା ବଜାର ଠାରୁ କମ ରହିଥିବା ବେଳେ ଚାଷୀମାନେ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକି ଦେଇଛନ୍ତି କପା । ଏଭଳି ସମସ୍ୟା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

ଚଳିତ ବର୍ଷ ଜିଲ୍ଲାରେ ଗୁଣୁପୁର ସମେତ ରାୟଗଡା, ମୁନିଗୁଡା, ପଦ୍ମପୁର, ଗୁଡାରି, ରାମାନାଗୁଡା ବ୍ଲକ ଅଞ୍ଚଳରେ ପାଖାପାଖି ୪୫.୮୪ହଜାର ହେକ୍ଟର ଜମିରେ କପା ଚାଷ କରାଯାଇଛି । ପ୍ରତିବର୍ଷ କପା ଚାଷୀ ମଣ୍ଡି ମାଧ୍ୟମରେ ନିଜର ଉତ୍ପାଦିତ ଦ୍ରବ୍ୟକୁ ଭାରତୀୟ କପା ନିଗମକୁ ବିକ୍ରି କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଭାରତୀୟ କପା ନିଗମ ଦ୍ୱାରା ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୬୦୨୫ ଟଙ୍କା ରହିଛି । କିନ୍ତୁ ବାହାରେ ବ୍ୟବସାୟୀମାନେ କୁଇଂଟାଲ ପିଛା ୭୫୦୦ରୁ ଅଧିକ ଟଙ୍କାରେ କିଣୁଛନ୍ତି । ମଣ୍ଡିରେ କମ ଦର ରହିଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ନିକଟରେ କପାକୁ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି ।