ଆସାମରେ ଆଜି ୪୧ ଲକ୍ଷ ଲୋକଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ: ପ୍ରକାଶ ପାଇବ ଚୂଡାନ୍ତ ଏନଆରସି ତାଲିକା

ହାଇ ଆଲର୍ଟରେ ରାଜ୍ୟ, ୧୪୪ ଧାରା ଜାରି; ଆସମକୁ ଗଲେ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ

121

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ମୋଦି ସରକାରଙ୍କ ଆଉ ଏକ ବଡ ନିଷ୍ପତି କାର୍ଯ୍ୟକାରୀ ହେବାକୁ ଯାଉଛି । ଆସାମରେ ଭାରତୀୟ ଏବଂ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରୁଥିବା ଜାତୀୟ ନାଗରିକ ରେଜିଷ୍ଟର ଅର୍ଥାତ୍ ଏନଆରସି ଆଜି ସକାଳ ୧୦ଟାରେ ପ୍ରକାଶ ହେବାକୁ ଯାଉଛି । ଯେଉଁଥିରେ ୪୧ ଲକ୍ଷ ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଆସାମ ବାସିନ୍ଦା ଇଂଟରନେଟ ମାଧ୍ୟମରେ ନିଜ ନାଗରିକତା ଜାଣିପାରିବେ । ଏନଆରସି ଚୂଡାନ୍ତ ତାଲିକା ପ୍ରକାଶ ପାଇବା ଦୃଷ୍ଟିରୁ ରାଜ୍ୟବ୍ୟାପୀ ସୁରକ୍ଷା କଡାକଡି କରାଯାଇଛି । ଅନେକ ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । କେନ୍ଦ୍ର ସରକାର ରାଜ୍ୟକୁ ୨୦ ହଜାର ଅତିରିକ୍ତ ଅର୍ଦ୍ଧସାମରିକ ଯବାନ ପଠାଇଛନ୍ତି । ଗୌହାଟୀ ଏବଂ ବାଂଲାଦେଶର ସୀମାବର୍ତୀ ଜିଲାରେ ଅଧିକ ସତର୍କ ନଜର ରଖାଯାଇଛି ।

ରାଜ୍ୟର ମୂଳ ବାସିନ୍ଦାଙ୍କୁ ବେଆଇନ୍ ବାଂଲାଦେଶୀ ନାଗରିକଙ୍କ ଠାରୁ ସୁରକ୍ଷା ଦେବା ଦିଗରେ ଏନଆରସି ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି । ଗତବର୍ଷ ପ୍ରକାଶ ପାଇଥିବା ଏନଆରସି ପ୍ରଥମ ତାଲିକାରେ ୪୧ ଲକ୍ଷ ଲୋକଙ୍କୁ ବାଦ ଦିଆଯାଇଥିଲା । ଆଜି ଯଦି ସେମାନଙ୍କ ନାଁ ଚୂଡାନ୍ତ ତାଲିକାରେ ନଥିବ , ତେବେ ସେମାନଙ୍କୁ ପୁଣି ଆବେଦନ ପାଇଁ ୧୨୦ ଦିନ ସମୟ ଦିଆଯିବ ।