କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି ୮ହଜାର ୮୨୯ କୋଟି ।

122

କନକ ବ୍ୟୁରୋ: କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏହି ଅବଧି ଭିତରେ ଦେଶର ୮ ପ୍ରମୁଖ ରାଜନୈତିକ ଦଳର ସମ୍ପତି ବହୁମାତ୍ରାରେ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏସବୁ ଦଳର ସମ୍ପତି ୮ହଜାର ୮୨୯ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୨୦୨୦-୨୧ ବର୍ଷ ତୁଳନାରେ ଦଳଗୁଡ଼ିକର ସମ୍ପତି ୨୧ ପ୍ରତିଶତ ବୃଦ୍ଧି ହୋଇଛି । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମ ବା ଏଡିଆର୍ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ।

ରିପୋର୍ଟ ଅନୁସାରେ, ୬ ହଜାର ୪୬ କୋଟି ୮୧ ଲକ୍ଷ ଟଙ୍କା ସହ ବିଜେପି ସବୁଠାରୁ ଧନୀ ଦଳ । ୨୦୨୦-୨୧ରେ ବିଜେପିର ସମ୍ପତି ୪ହଜାର ୯୯୦ କୋଟି ୧୯ ଲକ୍ଷ ଟଙ୍କା ଥିଲା । ବର୍ଷକ ଭିତରେ ସମ୍ପତିର ମୂଲ୍ୟ ୨୧.୧୭ ପ୍ରତିଶତ ବୃଦ୍ଧି ହୋଇଛି । ବିଜେପି ପରେ କଂଗ୍ରେସ ଦ୍ୱିତୀୟ ଧନୀ ଦଳ । କଂଗ୍ରେସର ସମ୍ପତି ୧୬.୫୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ରେ କଂଗ୍ରେସର ସମ୍ପତି ୬୯୧ କୋଟି ୧୧ ଲକ୍ଷ ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୮୦୫ କୋଟି ୬୮ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ତୃଣମୂଳ କଂଗ୍ରେସର ସମ୍ପତି ୧୮୨ କୋଟିରୁ ୪୫୮ କୋଟି ୧୦ ଲକ୍ଷ ଟଙ୍କାରେ ପହଞ୍ଚିିଛି । ଅର୍ଥାତ ଟିଏମସିର ସମ୍ପତି ୧୫୧.୭୦ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଶରଦ ପାୱାରଙ୍କ ଏନସିପିର ସମ୍ପତି ୩୦ କୋଟି ୯୨ ଲକ୍ଷ ଟଙ୍କାରୁ ୭୪ କୋଟି ୫୪ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସିପିଆଇଏମ୍ ସମ୍ପତି ମୂଲ୍ୟ ୧୪.୫ କୋଟିରୁ ୧୫.୭୨ କୋଟି, ସିପିଆଇ-ଏମର ସମ୍ପତି ମୂଲ୍ୟ ୬୫୪.୭୯ କୋଟିରୁ ୭୩୫.୭୭ କୋଟିକୁ ଛୁଇଁଛି । ତେବେ ମାୟାବତୀଙ୍କ ବିଏସପି ଦଳର ସମ୍ପତି ହ୍ରାସ ପାଇଛି । ବିଏସପିର ସମ୍ପତି ୭୩୨.୭୯ କୋଟିରୁ ୬୯୦.୭୧ କୋଟି ଟଙ୍କାରେ ପହଞ୍ଚିଛି ।