ରାକେଶ ଟିକାୟତଙ୍କ ବଡ ଘୋଷଣା, ଜାଣନ୍ତୁ ଉତ୍ତର ପ୍ରଦେଶ ନିର୍ବାଚନରେ କାହାକୁ ସମର୍ଥନ କରିବେ ରାକେଶ ଟିକାୟତ ?

505

କନକ ବ୍ୟୁରୋ : ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ସଫଳତା ପାଇଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି,ଭାରତୀୟ କିଷାନ ୟୁନିୟନ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ମେଣ୍ଟକୁ ସମର୍ଥନ କରିବ । ରାକେଶ ଟିକାୟତଙ୍କ ବଡ ଭାଇ ନରେଶ ଟିକାୟତ ତଥା ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ନରେଶ ଟିକାୟତ ସିସୋଲି ଠାରେ ଏକ ଜନସଭାକୁ ସମ୍ବୋଧିତ କରି ଆଶା କରାଯାଉଛି ରାଜ୍ୟର ଭୋଟର ସମାଜବାଦୀ ପାର୍ଟି ମେଣ୍ଟକୁ ସମର୍ଥନ କରିବେ ।

ସେହିଭଳି ପ୍ରୟାଗରାଜ ଠାରେ ରାକେଶ ଟିକାୟତ କହିଥିଲେ କି ଏବେ ଦେଶର କୃଷକମାନଙ୍କୁ ଧର୍ମ ଓ ଜାତି ନାମରେ ଭାଗ ଭାଗ କରାଯାଇ ପାରିବ ନାହିଁ । ଅନ୍ୟପଟେ ଏମଏସପି ଓ ଅନ୍ୟାନ୍ୟ ଦାବିକୁ କୃଷକମାନେ ହାସଲ କରିବା ପରେ ଆନ୍ଦୋଳନ ସମାପ୍ତ ହେଲା ବୋଲି ଆଶା କରାଯିବ । ଏହାସହ ଜାନୁଆରୀ ୩୧ ତାରିଖରେ ଅନ୍ୟ ଦାବିଗୁଡିକ ପୂରଣ କରିବା ପାଇଁ ସାରା ଦେଶର ପ୍ରତିଟି ଜିଲ୍ଲା ମୁଖ୍ୟାଳୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ରାକେଶ ଟିକାୟତ କହିଥିଲେ କି ସେ ନିଜେ ନିର୍ବାଚନ ଲଢିବେ ନାହିଁ କି କୌଣସି ରାଜନୈତିକ ଦଳର ସଭାମଞ୍ଚରେ ଠିଆ ହେବେ ନାହିଁ ।

କହିରଖୁ କି ଫେବୃଆରୀ ୧୦ ତାରିଖରୁ ୭ ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନର ଭୋଟ ଗଣତି ମାର୍ଚ୍ଚ ୧୦ ତାରିଖରେ ହେବ । ଉତ୍ତର ପ୍ରଦେଶରେ ବିଶେଷ କରି ବର୍ତମାନର ସ୍ଥିତି ମୁତାବକ ବିଜେପି ଓ ସମାଜବାଦୀ ପାର୍ଟି ସହ ଲଢେଇ ହେବାକୁ ଯାଉଛି ।