କାର ଭିତରେ ବସିଥିବା ପରିବାର ଲୋକଙ୍କୁ ନିଆଁ ଲଗାଇଦେଲେ । ପରେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ବ୍ୟବସାୟୀ

325

କନକ ବ୍ୟୁରୋ: ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା । କାରରେ ବସିଥିବା ପତ୍ନୀ ଓ ପୁଅକୁ କାର ସହ ନିଆଁ ଲଗାଇଦେବା ପରେ ନିଜ ଦେହରେ ପେଟ୍ରୋଲ ଢାଲି ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ ।

ପୋଲିସର ପ୍ରାଥମିକ ସୂଚନା ମୁତାବକ, ନାଗପୁର ଜୟତାଲାରେ ରହୁଥିବା ବ୍ୟବସାୟୀ ରାମରାଜ ଭଟ୍ଟ ମଙ୍ଗଳବାର ଅପରାହ୍ନରେ ବୁଲିବାକୁ ଯିବା କଥା କହି ପୁଅ ଓ ସ୍ତ୍ରୀକୁ ଧରି ଘରୁ ବାହାରିଥିଲେ । ହେଲେ ବାଟରେ କାର ରଖି ଆଣ୍ଟାସିଡ୍ ନାଁ କହି ବିଷ ପିଇବାକୁ କହିଥିଲେ । ହେଲେ ବିନା କାରଣରେ ଆଣ୍ଟସିଡ ପିଇବାକୁ ମନା କରିଦେଇଥିଲେ ପୁଅ ଓ ପତ୍ନୀ । ଫଳରେ ଡିକିରେ ରଖିଥିବା ପେଟ୍ରୋଲ ଆଣି କାର ଉପରେ ଢାଳିଦେଇଥିଲେ ଓ ନିଆଁ ଲଗାଇଥିଲେ । ପରେ ପରେ ନିଜ ଦେହରେ ମଧ୍ୟ ପେଟ୍ରୋଲ ଛିଞ୍ଚି ଆତ୍ମହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବ୍ୟବସାୟୀ ରାମରାଜଙ୍କର ମୃତ୍ୟୁ ହୋଇଥିବାବେଳେ ଲୋକେ ତାଙ୍କ ପୁଅ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଦୁହେଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତେବେ ବ୍ୟବସାୟରେ କ୍ଷତି ଯୋଗୁଁ ରାମରାଜ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ପୋଲିସ କହିବା ମୁତାବକ, ରାମରାଜଙ୍କର ଏକ ନଟବୋଲ୍ଟ ତିଆରି ଫ୍ୟାକ୍ଟ୍ରି ଥିଲା । ସେ ବିଭିନ୍ନ କମ୍ପାନୀ ଗୁଡିକୁ ସପ୍ଲାଇ କରୁଥିଲେ । ହେଲେ କରୋନା ଠାରୁ ତାଙ୍କ ବ୍ୟବସାୟ ମାନ୍ଦା ପଡିଥିଲା । ପୁଅ ନନ୍ଦନ ଭଟ୍ଟ ମଧ୍ୟ ଜଣେ ଇଞ୍ଜିନିୟର ଥିଲେ ବି କରୋନା ଯୋଗୁଁ ଚାକିରି ହରାଇଥିଲେ । ଫଳରେ ପରିବାରରେ ଆର୍ଥିକ ଅନଟନ ନେଇ ଅଶାନ୍ତି ଲାଗିରହୁଥିଲା । ଯାହାକୁ ନେଇ ବ୍ୟବସାୟୀ ରାମରାଜ ଏଭଳି ଚରମ ପଦକ୍ଷେପ ନେଇଥିଲେ ।

ଏହାସହ ବ୍ୟବସାୟୀଙ୍କ ଘରୁ ମଧ୍ୟ ଏକ ସୁଇସେଇଡତ ନୋଟ୍ ପୋଲିସର ହସ୍ତଗତ ହୋଇଛି, ଯେଉଁଥିରେ ମଧ୍ୟ ଆର୍ଥିକ ସସସ୍ୟାକୁ ନେଇ ବ୍ୟବସାୟୀଙ୍କ ମାନସିକ ଅବସାଦର ପ୍ରମାଣ ମିଳୁଛି । ଏବଂ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ମଧ୍ୟ ଏହି ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି ।