କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତୁ ବୋଲି ଚାହୁଁନଥିଲେ ଧୋନୀ । କିଏ କହିଥିଲା ଏମିତି କଥା, ଭାଇରାଲ ହେଉଛି ଭିଡ଼ିଓ

919

କନକ ବ୍ୟୁରୋ : ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆଉ ଏହାସହ ଆରମ୍ଭ ହୋଇଛି ପୂର୍ବତନ କ୍ରିକେଟରଙ୍କ ବୟାନବାଜି । କିଏ ବିଶ୍ୱକପ ଜିତିବ ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ୨୦୧୯ ବିଶ୍ୱକପରେ ଭାରତର ପରାଜୟ ପଛର କାରଣ ସେ କହିଛନ୍ତି । ଆଉ ଏଥିପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ଭିଡ଼ିଓରେ ଯୋଗରାଜ କହିଛନ୍ତି, ମୋର ରକ୍ତ ଗରମ ହୋଇ ଉଠୁଛି । ୨୦୧୯ ବିଶ୍ୱକପ ସେମିଫାଇନାଲରେ ଧୋନୀ ଜାଣିଶୁଣି ଭଲ ବ୍ୟାଟିଂ କରିନଥିଲେ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିଲା । ଧୋନୀ ଆଦୌ ଚାହୁଁନଥିଲେ ଯେ, ଅନ୍ୟ କେହି ଅଧିନାୟକ ଭାରତ ପାଇଁ ବିଶ୍ୱକପ ଜିତନ୍ତୁ ବୋଲି । ଯୋଗରାଜ କହିଛନ୍ତି, ଗୋଟିଏ ପଟରେ ରବୀନ୍ଦ୍ର ଜାଡେଜା ସାହସିକ ବ୍ୟାଟିଂ କରୁଥିଲେ ଏବଂ ଭାରତକୁ ବିଜୟର ନିକଟତର କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଅନ୍ୟପଟେ ଧୋନୀ ନିଜର ଦକ୍ଷତା ଅନୁଯାୟୀ ବ୍ୟାଟିଂ କରିନଥିଲେ । ଯଦି ଧୋନୀ ନିଜ ଦକ୍ଷତାର ୪୦% ମଧ୍ୟ ଖେଳିଥାନ୍ତେ ତେବେ ଭାରତ ୪୮ ଓଭରରେ ମ୍ୟାଚ୍ ଜିତିଥାନ୍ତା ।

ଧୋନୀଙ୍କ ବ୍ୟାଟିଂକୁ ନେଇ ଯୋଗରାଜ କହିଛନ୍ତି, ଯେତେବେଳେ ଧୋନୀ ଚେନ୍ନାଇ ପାଇଁ ବ୍ୟାଟିଂ କରନ୍ତି ସେତେବେଳେ ୧୫ ବଲରେ ୪୦, ୨୦ ବଲରେ ୫୦ ରନ୍ କରନ୍ତି । ସେତେବେଳେ ଛକା ଓ ଚୌକାର ବର୍ଷା କରନ୍ତି । କିନ୍ତୁ ବିଶ୍ୱକପରେ ସେହି ସ୍ଲଟରେ ବଲ ପଡିଥିଲେ ମଧ୍ୟ ଧୋନୀ କାହିଁକି ଖେଳିପାରୁନଥିଲେ? ଏ ବିଷୟରେ ବିରାଟ କୋହଲି ପର ମୁହୂର୍ତ୍ତରେ ବୁଝିପାରିବେ ନିଶ୍ଚୟ ।

୨୦୧୯ ବିଶ୍ୱକପ ସେମିଫାଇନାଲରେ ଧୋନୀ ୫୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଶେଷ ଆଡକୁ ଧୋନୀ ମ୍ୟାଚ୍ ଜିତାଇବେ ବୋଲି ସମସ୍ତଙ୍କର ଆଶା ଥିଲା । କାରଣ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଥିଲେ ଧୋନୀ । କିନ୍ତୁ ଧୋନୀ ରନ୍ ଆଉଟ ହୋଇ ଫେରିବା ସହ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଥିଲା । ତେବେ ୨୦୧୯ ବିଶ୍ୱକପର ପରାଜୟ ପାଇଁ ଧୋନୀଙ୍କୁ ଦାୟୀ କରିବା ସହ ବର୍ଷିଛନ୍ତି ଯୋଗରାଜ ।

ଧୋନୀଙ୍କୁ ନେଇ ବିବାଦୀୟ ବୟାନ ଦେବା ଯୋଗରାଜଙ୍କ ପାଇଁ ନୂଆ ନୁହେଁ । ଏହାପୂର୍ବରୁ ଅନେକଥର ଧୋନୀଙ୍କ ଉପରେ ବର୍ଷିଛନ୍ତି ଯୋଗରାଜ । ଟିମ ଚୟନରେ ଧୋନୀ ପକ୍ଷପାତ କରୁଥିବା ଅଭିଯୋଗ ଆଣିଥିଲେ ଯୋଗରାଜ । ଏପରିକି ଧୋନୀଙ୍କ ଅଧିନାୟକତ୍ୱରେ ଯୁବରାଜ ସିଂଙ୍କୁ କମ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି ବୋଲି କହିଥିଲେ ଯୋଗରାଜ । ଯାହାକୁ ନେଇ ଜୋର ଧରିଥିଲା ବିବାଦ ।