ସ୍ୱାଧୀନତା ଦିବସରେ ନାଚିଲେ ଲଦାଖ ସାଂସଦ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

571
କନକ ବ୍ୟୁରୋ : ଲୋକସଭାରେ  ନିଜ ଭାଷଣ ଦେଇ ଚର୍ଚ୍ଚାରେ ଥିବା ଲଦାଖ ସାଂସଦ ପୁଣି ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଲଦାଖ ସାଂସଦ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ସ୍ୱାଧୀନତା ଦିବସରେ ନାଚୁଥିବାର ଦେଖିବାକୁ ମିଳିଛି । ତେବେ ଏହି ନାଚ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଲୋକସଭାରେ ଭାଷଣ ଦେଇ ପ୍ରସିଦ୍ଧି ହାସଲ କରିଥିବା ଲଦାଖର ସାଂସଦ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲେହ୍ ଠାରେ ନୃତ୍ୟ କରିଛନ୍ତି। ଦଳେ ଲୋକଙ୍କ ସହ ଯୁବ ସାଂସଦଙ୍କ  ନୃତ୍ୟ ଦେଖୁଥିଲେ ପାଖରେ ଠିଆ ହୋଇଥିବା କିଛି ଲୋକ।

ପୂର୍ବରୁ ମଧ୍ୟ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲ ନୃତ୍ୟ କରି ଲୋକମାନଙ୍କୁ ଚକିତ କରିଥିଲେ। ଭାଷଣ ଦେଇ ରାତାରାତି ଖ୍ୟାତି ହାସଲ କରିଥିବା ବିଜେପି ସାଂସଦ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ ତାଙ୍କ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଲୋକଙ୍କ ସହ ନୃତ୍ୟ କରିଥିଲେ। ଜନ ଗହଳିପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଯିବା ବେଳେ ସେ ଜାତୀୟ ପତାକା ହଲାଇବା ସହ ନୃତ୍ୟ ପରିବେଶଣ କରୁଥିଲେ।
ଗହଳି କରିଥିବା ଦେଖଣାହାରି ଓ ସମର୍ଥକମାନେ ହର୍ଷଧ୍ୱନି ଦେବା ସହ ଜାମାୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କ ସହ ଫଟୋ ଉତ୍ତୋଳନ କରୁଥିଲେ। ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଆଜି ସେଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ତେବେ ଏହି ସମୟରେ ସାଂସଦ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ସାଂସଦଙ୍କ ଏପରି ନାଚକୁ ଅନେକ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।