କୂଳ ଖାଉଛି କଳାହାଣ୍ଡିର ହାତୀ ନଦୀ । ଇନ୍ଦ୍ରାବତୀ ପ୍ରକଳ୍ପ ପରେ ନଦୀରେ ପ୍ରବାହିତ ହେଉଛି ଅଧିକ ପାଣି । ନଷ୍ଟ ହେଉଛି ଏକର ଏକର ଚାଷ ଜମି ।

96

କନକ ବ୍ୟୁରୋ: କୂଳ ଲଙ୍ଘୁଛି ହାତୀ ନଦୀ । ଚିନ୍ତରେ ନଦୀ କୂଳିଆ ବାସିନ୍ଦା । ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଷ୍କାସିତ ଜଳ ହାତୀ ନଦୀରେ ଛଡାଯିବା ଯୋଗୁଁ ବର୍ଷ ସାରା ନଦୀରେ ଅତ୍ୟଧିକ ପାଣି ପ୍ରବାହିତ ହେଉଛି । ବିଶେଷକରି ବର୍ଷାଦିନେ ନିଷ୍କାସିତ ଜଳ ଓ ନାଳ ମାନଙ୍କର ସଂଯୋଗ ଯୋଗୁଁ ହାତୀ ନଦୀରେ ଅତ୍ୟଧିକ ଜଳ ପ୍ରବାହିତ ହୋଇଥାଏ । ଫଳରେ ପ୍ରତିବର୍ଷ ନଦୀ କୂଳ ଖାଇବାରେ ଲାଗିଛି । ଏହାସହ ନଦୀ କୂଳରେ ଥିବା ଚାଷୀଙ୍କ ଏକର ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ନହେଲେ ୨୫ରୁ ଅଧିକ ଗାଁଲୋକେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ବନ୍ୟା ଆସିଲେ ରାଜନେତା ଓ ପ୍ରଶାସନ ଅଧିକାରୀଙ୍କ ପାଦ ପଡ଼ିଥାଏ କିନ୍ତୁ ବନ୍ୟା ପରେ ଆଡ଼ିବନ୍ଧ ନିର୍ମାଣ କଥା ଭୁଲିଯାଆନ୍ତି ନେତା ଓ ପ୍ରଶାସନିକ ଅଧିକାରୀ । ହାତୀ ନଦୀର ପ୍ରାୟ ୫୫ କିଲୋମିଟର ନଦୀକୂଳ ଅସୁରକ୍ଷିତ ଥିବା ବେଳେ ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବାବୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।