ରାଜଧାନୀରୁ ଧରାପଡ଼ିଲା ୩୨ କେଜିରୁ ଅଧିକ ସୁନା ଅଳଙ୍କାର: ମୁମ୍ବାଇରୁ ଭୁବନେଶ୍ୱର ଅଣାଯାଉଥିଲା ୧୬ କୋଟି ଟଙ୍କାର ସୁନା ଗହଣା 

159

କନକ ବ୍ୟୁରୋ: ଆଖି ଖୋସି ହୋଇଗଲା ଭଳି ସୁନା ଗହଣା ।ସୁଟକେସ ଭିତରେ ଥାକ ଥାକ କରି ସଜେଇ ରଖାଯାଇଛି ସୁନା ଅଳଙ୍କାର । ବିନା ଜିଏସଟି ବିଲରେ ବିପୁଳ ପରିମାଣର ସୁନା ଚାଲାଣ ବେଳେ ଜିଆରପି ପୁଲିସ ହାତରେ ଧରାପଡିଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ୪ଟି ସୁନା ଅଳଙ୍କାର ଭର୍ତି ସୁଟକେସ ଜବତ କରି ଜିଆରପି ପୁଲିସ ।

ପ୍ରତି ବ୍ୟାଗରେ ୮କେଜି ସୁନା ଅଳଙ୍କାର ପ୍ୟାକ୍ ହୋଇଥିଲା । ଏପରି ମୋଟ ୪ଟି ସୁଟକେସରେ ୩୨ କିଲୋଗ୍ରାମରୁ ଅଧିକ ଓଜନର ଗହଣା ଜବତ ହୋଇଛି । ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।  କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରେ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲେ ୪ଜଣ ଅଭିଯୁକ୍ତ । ତେବେ ଭୁବନେଶ୍ୱରରେ ଓହ୍ଲାଇ ଷ୍ଟେସନରୁ ବାହାରିବା ସମୟରେ ପୁଲିସ ଯାଂଚ ବେଳେ ଧରାପଡିଯାଇଥିଲେ ।

ଆଉ ୪ଟି ସୁଟକେସରେ ବିପୁଳ ପରିମାଣର ସୁନା ଗହଣା ଦେଖି କାବା ହୋଇଯାଇଥିଲେ ଜିଆରପି ପୁଲିସ ଅଧିକାରୀ । ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଲିସ ୩୨ କେଜି ସୁନା ଗହଣା ଜବତ କରି ବଡ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କରିଛି । ସୂଚନା ପାଇବା ପରେ ଆୟକର ବିଭାଗ ଏବଂ ଜିଏସଟି ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।