ଓଡିଶାରେ ୧୮ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ ! ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ୩ ଜିଲ୍ଲାକୁ ଆଲର୍ଟ

27

କନକ ବ୍ୟୁରୋ: ରାଜ୍ୟର ୧୮ଟି ଜିଲ୍ଲାକୁ ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ ସକାଳୁ ସକାଳୁ ଲାଗି ରହିଛି ବର୍ଷା । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷ କରି ଉତ୍ତର ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭଲ ବର୍ଷା ହେଉଛି । ମୟୂରଭଂଜ, ନୟାଗଡ, କଟକ, ଯାଜପୁର ଓ ଜଗତସିଂହପୁର, କେନ୍ଦ୍ରାପଡା ଢେଙ୍କାନାଳ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, କେଉଁଝର, କନ୍ଧମାଳ ଓ ଅନୁଗୁଳରେ ସଂପୂଣ୍ଣ ଭାବେ ମୌସୁମୀ ଛୁଇଛି । ଦିନେ ଦୁଇଦିନ ଭିତରେ ବାକି ସମସ୍ତ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ତିନିଟି ଜିଲ୍ଳାରେ ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ଜଗତସଂହପୁର ଜିଲ୍ଳାର କୁଜଙ୍ଗରେ ସର୍ବାଧିକ ୧୫ ସେମି ବର୍ଷା ହୋଇଥିଲା । ସେହିପରି କେନ୍ଦ୍ରାପଡା ଜିଲ୍ଳାର ମାର୍ଶାଘାଇରେ ୭ସେମି, ମୟୂରଭଞ୍ଜ ଜିଲ୍ଳାର ବେତନଟି ଓ ଚନ୍ଦନପୁରରେ ୪ସେମି ବର୍ଷା ହୋଇଥିଲା । ଜଙ୍ଗତସିଂପୁରର ଆଳିପଙ୍ଗଳ, ବାଲିକୁଦା , ପୁରୀ ଜିଲ୍ଳାର ନିମାପଡା, କେନ୍ଦ୍ରାପଡା ଜିଲ୍ଳାର ରାଜକନିକା,ପଟ୍ଟାମୁଣ୍ଡାଇରେ ୩ସେମି ବର୍ଷା ହୋଇଛି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମ ଦିଗରେ ରହିଛି। ତାହା ପ୍ରଭାବରେ ଜୁନ୍‌ ୨୮ ତାରିଖ ଯାଏ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଫଳରେ ଉପକୂଳ, ଉତ୍ତର, ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଥିଲେ ମଧ୍ୟ ତାହାର ପ୍ରଭାବ ସେତେଟା ରହିବନି। ମୌସୁମୀ ପ୍ରବାହରେ ଯେଉଁଭଳି ବର୍ଷା ହେବା କଥା ହେବନି। ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। ବଜ୍ରପାତର ଆଶଙ୍କା ମଧ୍ୟ ରହୁଛି।