ବିଜେପିର ଦୁଇ ଦିନିଆର ଚିନ୍ତନ ଶିବିର ଆରମ୍ଭ । ନକ୍ସଲବାଦ ବିରୋଧରେ କଠୋରତା ଦେଖାଇଲେ ମୋଦୀ ।

105

କନକ ବ୍ୟୁରୋ: ରାଜ୍ୟ ଚିନ୍ତନ ଶିବିରକୁ ଭିଡିଓ କନଫେରନ୍ସରେ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ମାନେ ସାମିଲ ହୋଇଥିଲେ । ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ଏହି ଶିବିରରେ ନକ୍ସଲବାଦ ବିରୋଧରେ ମୋଦି କଠୋରତା ଦେଖାଇଛନ୍ତି । ରାଜ୍ୟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ, ଭଷ୍ଟ୍ରାଚାର ଦୁର୍ନୀତି ଉପରେ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆତଙ୍କବାଦକୁ ତୃଣମୂଳ ସ୍ତରରେ ନିପାତ କରିବାକୁ ସମସ୍ତ ରାଜ୍ୟ ଏ ଦିଗରେ ପ୍ରୟାସ କରିବା ଆବଶ୍ୟକ ।

ନକ୍ସଲବାଦ ଉପରେ ଆକ୍ରମଣ କରି ମୋଦୀ କହିଛନ୍ତି, ନକ୍ସଲବାଦର ପ୍ରତିଟି ଦିଗକୁ ପରାସ୍ତ କରିବାକୁ ହେବ । ବନ୍ଧୁକ ନକ୍ସଲବାଦ ହେଉ ଅବା କଲମ ନକ୍ସଲବାଦ । ଏହାକୁ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ନକ୍ସଲବାଦ ଏବେ ଯୁବପିଢୀଙ୍କୁ ବିଭାନ୍ତ କରୁଛନ୍ତି । ଏବେଠୁ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ପିଢି ପାଇଁ ଏମାନେ ବିକୃତ ମାନସିକତା ସୃଷ୍ଟି କରିବେ, ତେଣୁ ବୁଦ୍ଧିମାନର ସହ ଆତଙ୍କବାଦ ମୁକାବିଲା କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଜାମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବରେ ଏବେ ବିକାଶ ଯୋଗୁଁ ଆତଙ୍କବାଦୀ ମାନେ ମୁଖ୍ୟସ୍ରୋତକୁ ଫେରୁଛନ୍ତି । ସେହିପରି ସୀମା ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ । ଏଥିସହ ସେ ଅଧିକାରୀଙ୍କୁ ସୀମାନ୍ତ ଅଞ୍ଚଳକୁ ଯାଇ ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସାଇବର କ୍ରାଇମ, ଡ୍ରଗ୍ସ ଚୋରା ଚାଲାଣ, ସୀମା ପରିଚାଳନା, ଉଗ୍ରବାଦୀ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ମୋଦୀ ।